ସରକାରୀ ମଣ୍ଡିରେ ଥିବା ଚାଷୀଙ୍କ ଧାନ ତୁରନ୍ତ ସରକାର କିଣନ୍ତୁ : ନିରଞ୍ଜନ

ଭୁବନେଶ୍ୱର, ଏନ୍ଏନ୍ଏସ୍: କରୋନାର କୋପକୁ ଖାତିର ନକରି ଚଳିତ ରବି ଋତୁରେ ରାଜ୍ୟର ଚାଷୀମାନେ ଭଲ ଧାନ ଅମଳ କରିଛନ୍ତି। ହେଲେ ଅମଳ ଋତୁ ଆରମ୍ଭ ହେଉ ହେଉ କାଳବୈଶାଖୀ ଏବଂ ପରେ ବାତ୍ୟା ୟଶ୍ ସକାଶେ ଅନେକ ଫସଲ ନଷ୍ଟ ହୋଇଛି। କଷ୍ଟ ଉପାର୍ଜିତ ବଳକା ଶସ୍ୟକୁ ବିକ୍ରି ଉଦ୍ଦେଶ୍ୟରେ ଚାଷୀ ମଣ୍ଡିକୁ ନେଇ ଆସିଥିବା ବେଳେ ସେସବୁ ମଧ୍ୟ ଖୋଲାମେଲାରେ ପଡ଼ିରହିଛି। ମହାମାରୀର ଏ ଅଭାବୀ ପରିସ୍ଥିତିରେ ଚାଷୀକୂଳଙ୍କ ପାଇଁ ସରକାର ଆଉ ନିର୍ଦ୍ଦୟ ନହୋଇ ତୁରନ୍ତ ମଣ୍ଡିରେ ପଡ଼ିଥିବା ଧାନ କିଣନ୍ତୁ ବୋଲି ଅସନ୍ତୋଷ ବ୍ୟକ୍ତକରି କହିଛନ୍ତି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ।
ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଧାନ କିଣିବା କ୍ଷେତ୍ରରେ ସରକାର ଅଦ୍ଭୁତ ନୀତି ଗ୍ରହଣ କରିଛନ୍ତଇ। ଚାଷୀ ଯାହା ଧାନ ଅମଳ କଲା, ସେଥିରୁ କେତେ ସରକାର କିଣିବେ ତାର ଠିକଣା ନାହିଁ। କାହାର କେତେ ଧାନ ଅମଳ ହେବ ତା’ ପାଇଁ ସରକାର ଆରଆଇ ମାନଙ୍କ ଦ୍ୱାରା ଏକ ଆକଳନ କରିଥିଲେ। ପଟ୍ଟା ଏବଂ ଜମିର କାଗଜ ପତ୍ର ମାଗିଥିଲେ ରେଜିଷ୍ଟ୍ରେସନ ପାଇଁ। କିନ୍ତୁ ସେସବୁ ଚୁଲିକି ଗଲା। ଆକଳନ ମୁତାବକ ଟାର୍ଗେଟ ଆସିଲା ନାହିଁ। ସବୁ ଧାନ କିଣାଯିବ ନାହିଁ ବୋଲି ସରକାର ଚାଷୀଙ୍କୁ ନିଷ୍ପତ୍ତି ଶୁଣାଇଲେ କିନ୍ତୁ କେତେ କିଣାଯିବ କହିଲେ ନାହିଁ। ·ଷୀଙ୍କୁ ମିଳିଥିବା ଟୋକନରେ ଅମଳ କରିଥିବା ଧାନର ଏକ ତୃତୀୟାଂଶ ମାତ୍ର ଦର୍ଶାଯାଇଥିଲା। ହେଲେ ତାହା ମଧ୍ୟ କିଣାଗଲା ନାହିଁ। ଟୋକନ ନେଇ ଚାଷୀ ମଣ୍ଡିକୁ ଗଲାବେଳକୁ ମିଲରଙ୍କ ଦେଖାଦର୍ଶନ ନାହିଁ। ଏହା ଅତ୍ୟନ୍ତ ସ୍ପର୍ଶକାତର ପ୍ରସଙ୍ଗ।