ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ କରିବାର ଆବଶ୍ୟକତା ରହିଛି : ଧର୍ମେନ୍ଦ୍ର

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶାରେ କୋଭିଡ୍ ବେଡ୍ ଏବଂ ଆନୁଷଙ୍ଗିକ ଭିତ୍ତିଭୂମି ବୃଦ୍ଧି କରାଯାଉଥିବା ବେଳେ ଡ଼ାକ୍ତର ଏବଂ ଭେଣ୍ଟିଲେଟର ଚଲାଇବା ପାଇଁ ଟେକ୍ନିସିଆନ୍ଙ୍କ ଅଭାବ ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଅଧିକ ମେଡିକାଲ୍ କଲେଜ ଖୋଲାଯିବା ଦରକାର। ‘ଓଡ଼ିଶା ପ୍ରାନ୍ତୀୟ ମାରୱାଡ଼ି ଯୁବମଞ୍ଚ’ (ଓପିଏମୱାଇଏମ୍) ପକ୍ଷରୁ ଆୟୋଜିତ ଭର୍ଚ୍ଚୁଆଲ୍ କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ଜିଲ୍ଲାରେ ୧୦୦ଟି ଅକ୍ସିଜେନ୍ ସିଲିଣ୍ଡରର ଲୋକାର୍ପଣ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତରେ ଜଣେ ଡାକ୍ତର ହାରାହାରି ୧୪୦୪ ଜଣଙ୍କୁ ଚିକିତ୍ସା କରୁଥିବା ବେଳେ ଓଡ଼ିଶାରେ ଜଣେ ଡାକ୍ତର ହାରାହାରି ୨,୧୮୭ ଜଣଙ୍କୁ ଚିକିତ୍ସା କରୁଥିବା ତଥ୍ୟରୁ ଜଣାପଡ଼ିଛି। ସେହିପରି ଭାରତରେ ପ୍ରତି ୧ ଲକ୍ଷ ଲୋକଙ୍କ ପାଇଁ ୧୩୯ଟି ବେଡ୍ର ବ୍ୟବସ୍ଥା ଥିବାବେଳେ ଓଡ଼ିଶାରେ ହାରାହାରି ପ୍ରତି ଲକ୍ଷେ ଲୋକଙ୍କ ପାଇଁ ମାତ୍ର ୫୯ଟି ବେଡ୍ ରହିଛି। ତେଣୁ ଓଡ଼ିଶାରେ ଥିବା ପୁରୁଣା ମେଡ଼ିକାଲ କଲେଜରେ ସିଟ୍ ସଂଖ୍ୟାକୁ ବୃଦ୍ଧି କରାଯିବା ସହ ନୂଆ ମେଡ଼ିକାଲ କଲେଜ୍ ସ୍ଥାପନା ହେବା ଦରକାର। ନର୍ସିଂ, ପାରାମେଡ଼ିକାଲ କର୍ମଚାରୀ ତଥା ସ୍ୱାସ୍ଥ୍ୟକର୍ମୀଙ୍କ ସଂଖ୍ୟା ବଢ଼ାଇବାକୁ ହେବ। ଏହି ପ୍ରସଙ୍ଗ ଉପରେ କେବଳ ସରକାର ନୁହେଁ ସମାଜ ମଧ୍ୟ ଚିନ୍ତା କରିବା ଦରକାର। କେନ୍ଦ୍ରମନ୍ତ୍ରୀ କହିଛନ୍ତି କରୋନା ମହାମାରୀ ଦ୍ୱାରା ଝାରସୁଗୁଡ଼ା ଜିଲ୍ଲା ବିଶେଷ ଭାବରେ ପ୍ରଭାବିତ ହୋଇଥିବା ବେଳେ ଶୁଭାରମ୍ଭ ହୋଇଥିବା ଅକ୍ସିଜେନ୍ ସିଲିଣ୍ଡରର ବ୍ୟବସ୍ଥା ଓଡ଼ିଶା ପ୍ରାନ୍ତୀୟ ମାରୁୱାଡ଼ି ଯୁବମଞ୍ଚର କାର୍ଯ୍ୟକର୍ତ୍ତାଙ୍କ ଜରିଆରେ ଅନେକ କୋଭିଡ୍ ରୋଗୀଙ୍କ ପାଖରେ ପହଞ୍ଚିବା ସହ ସେମାନଙ୍କ ଜୀବନ ରକ୍ଷା କରିବାରେ ସହାୟକ ହେବ। ଯୁବମଞ୍ଚ ପକ୍ଷରୁ କୋଭିଡ୍ ସଂକ୍ରମିତଙ୍କ ସମେତ ଅସହାୟଙ୍କୁ ଖାଦ୍ୟ ବଣ୍ଟନ, ପ୍ଲାଜ୍ମା ଦାନ, ଆମ୍ବୁଲାନ୍ସ ଏବଂ ଅକ୍ସିଜେନ୍ ସିଲିଣ୍ଡର ବ୍ୟବସ୍ଥା ଇତ୍ୟାଦି କରାଯିବା ବେଶ୍ ପ୍ରଶଂସନୀୟ ବୋଲି କହି ଏଥିପାଇଁ ସବୁ କାର୍ଯ୍ୟକର୍ତ୍ତାଙ୍କୁ ଶ୍ରୀ ପ୍ରଧାନ ସାଧୁବାଦ ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ, ବରଗଡ଼ ସାଂସଦ ସୁରେଶ ପୂଜାରୀ, ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି, ଅଖିଳ ଭାରତୀୟ ମାରୱାଡ଼ି ଯୁବ ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ କପିଲ ଲୋଖୋଟିଆ, ଓଡ଼ିଶା ପ୍ରାନ୍ତୀୟ ମାରୱାଡ଼ି ଯୁବସଂଘର ପ୍ରାନ୍ତୀୟ ଅଧ୍ୟକ୍ଷ ନରେଶ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।