ସମସ୍ତ ମନ୍ଦିର ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ଅବିଳମ୍ବେ ଅଧ୍ୟାଦେଶ ଆଣନ୍ତୁ : ନିରଞ୍ଜନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟର ସମସ୍ତ ଦେବାଦେବୀଙ୍କ ମନ୍ଦିରକ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ଦର୍ଶନ ପାଇଁ ଖୋଲାଯାଉ। ଶ୍ରୀ ଜଗନ୍ନାଥ ମନ୍ଦିର ପରେ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର ଖୋଲିବା ଲାଗି ମୁଖ୍ୟମନ୍ତ୍ରୀ ଯେଉଁ ଭଳି ଭାବେ ଅଧ୍ୟାଦେଶ ଆଣିଛନ୍ତି, ଠିକ୍ ସେହିପରି ରାଜ୍ୟର ଅନ୍ୟ ମନ୍ଦିରଗୁଡ଼ିକ ଶ୍ରଦ୍ଧାଳଙ୍କ ପାଇଁ ଉନ୍ମୁକ୍ତ କରାଯାଉ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦାବି କରିଛନ୍ତି।
ସେ କହିଛନ୍ତି ଯେ ଶ୍ରଦ୍ଧାଳୁ ତଥା ଧର୍ମପରାୟଣ ବ୍ୟକ୍ତିବିଶେଷ ମାସ ମାସ ଧରି କେନ୍ଦୁଝର ମା’ତାରିଣୀ ମନ୍ଦିର, କେନ୍ଦ୍ରାପଡ଼ା ଶ୍ରୀ ବଳଦେବଜୀଉ ମନ୍ଦିର, ରାୟଗଡ଼ା ମା’ମଝିଘରିଆଣୀ ମନ୍ଦିର, ଜଗତସିଂହପୁର ମା’ ଶାରଳା ମନ୍ଦିର, ଭଦ୍ରକ ବାବା ଆଖଣ୍ଡଳମଣି ମନ୍ଦିର, ବଲାଙ୍ଗିର ହରିଶଙ୍କର ମନ୍ଦିର, ଯାଜପୁର ମହାବିନାୟକ ମନ୍ଦିର, କାକଟପୁର ମା’ମଙ୍ଗଳା ମନ୍ଦିର, ବ୍ରହ୍ମଗିରି ବାବା ଅଲାରନାଥ ମନ୍ଦିର, କଟକ ଶ୍ରୀ ଧବଳେଶ୍ୱର ମନ୍ଦିର, ବାଙ୍କୀର ମା’ଚର୍ଚ୍ଚିକା ମନ୍ଦିର, ସମ୍ବଲପୁରର ମା’ସମଲେଶ୍ୱରୀ ମନ୍ଦିର, ଯାଜପୁରର ମା’ବିରଜା ମନ୍ଦିର, ଗାମର ମା’ତାରାତାରିଣୀ ମନ୍ଦିର, ନୟାଗଡ଼ର ଶ୍ରୀ ନୀଳମାଧବଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି। କୋଭିଡ୍-୧୯ର ସମସ୍ତ ନୀତି ନିୟମକୁ କଡ଼ାକଡ଼ି ପାଳନ କରି ଶ୍ରଦ୍ଧାଳୁଙ୍କ ଲାଗି ମନ୍ଦିର ତଥା ଧର୍ମପୀଠଗୁଡ଼ିକୁ ଖୋଲିବା ପାଇଁ ତୁରନ୍ତ ମୁଖ୍ୟମନ୍ତ୍ରୀ ଅଧ୍ୟାଦେଶ ଆଣି ସୁବ୍ୟବସ୍ଥା କରିବାକୁ ସେ ଅନୁରୋଧ କରିଛନ୍ତି।