ବର୍ଷା ପ୍ରିୟଦର୍ଶିନୀଙ୍କ ଦ୍ୱାରା ଆରମ୍ଭ ହେଲା ‘ଆମ ପାଠାଗାର’

ଦାଶିଆ ଅଜାଙ୍କ ଅଭିଯାନକୁ ଆଗକୁ ବଢ଼ାଇବାକୁ ପ୍ରୟାସ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ‘ଆମ ପାଠାଗାର’ ମାଧ୍ୟମରେ ଦାଶିଆ ଅଜାଙ୍କ ଦ୍ୱାରା ପରିଚାଳିତ ପାଠାଗାର ଆନ୍ଦୋଳନକୁ ଆଗକୁ ବଢ଼ାଇବା ପାଇଁ ଉଦ୍ୟମ କରିଛନ୍ତି। ବର୍ଷା ଏବଂ ଦ କ୍ଲିକ୍ ପ୍ରଡ଼କ୍ସନର ସାମାଜିକ କଲ୍ୟାଣକାରୀ ଅନୁଷ୍ଠାନ ‘ସମ୍ମାନିତା’ ଦ୍ୱାରା ଏହି ପ୍ରୟାସ କରାଯାଉଛି। ଭୁବନେଶ୍ୱର ବାଣୀବିହାରସ୍ଥିତ ହୋଟେଲ ‘ସୀତଲ’ର ଦର୍ପଣ କକ୍ଷରେ ଏହାର ଶୁଭାରମ୍ଭ କରାଯାଇଛି। ଅଭିନେତ୍ରୀ ବର୍ଷାଙ୍କ ସମେତ ବିଶିଷ୍ଟ ଲେଖକ ଦାସ ବେନେହୁର, ଡ଼. ସଂଘମିତ୍ରା ମିଶ୍ର, ବିଶିଷ୍ଟ ଲେଖକ ବନୋଜ ତ୍ରିପାଠୀ, ପକ୍ଷୀଘର ପ୍ରକାଶକ ଏବଂ ବିଶିଷ୍ଟ ଲେଖକ ଓ ଗୀତିକାର ବିଜୟ ମଲ୍ଲଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଏହି ଅଭିଯାନର ସଫଳତା କାମନା କରିଥିଲେ। ଅନ୍ୟପଟେ ମହାମାରୀ ସମୟରେ ସରକାରୀ ବିଦ୍ୟାଳୟ ବନ୍ଦ ଥିବାବେଳେ ନିଜ ଗାଁର ପିଲାମାନେ ପାଠପଢ଼ାରେ ଯେପରି ପଛରେ ନରହନ୍ତି ତାହା ସୁନିଶ୍ଚିତ କରିବା ପାଇଁ ନିଜ ଗ୍ରାମର ପିଲାମାନଙ୍କୁ ନିଃସ୍ୱାର୍ଥ ଭାବରେ ଶିକ୍ଷାଦାନ କରିଥିବା ବଲାଙ୍ଗୀର ଝିଅ ଦିଲେସ୍ୱରୀ ଧରୁଆଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଛି।

ସୂଚନା ଥାଉ କି, ଦାଶିଆ ଅଜା ଭାବେ ଜଣାଶୁଣା ସ୍ୱର୍ଗତ ଦାଶରଥୀ ପଟ୍ଟନାୟକ ମାତ୍ର ୫ଟି ପୁସ୍ତକକୁ ନେଇ ପାଠାଗାର ଆରମ୍ଭ କରିଥିଲେ। ସମୟେ କ୍ରମେ ଏହି ପାଠାଗାରରେ ଦେଢ଼ଲକ୍ଷରୁ ଊଦ୍ଧ୍ୱର୍ ପୁସ୍ତକ ପାଠାଗରରେ ସଂଗୃହିତ ହୋଇ ରହିଛି। ଅନେକ ପୁସ୍ତକ, ପାଣ୍ଡୁଲିପି, ଚିତ୍ର ଏବଂ ଅନ୍ୟାନ୍ୟ ଅନୁସନ୍ଧାନ ମୂଳକ ପୁସ୍ତକ ଏଥିରେ ରହିଛି। ୧୯୦୭ ମସିହା ନୟାଗଡ଼ ଜିଲ୍ଲାରେ ଜନ୍ମିତ ଦାଶିଆ ଅଜାଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ପାଠାଗାର ଅଭିଯାନକୁ ସଫଳ କରିବା ପାଇଁ ଅନେକ ଉତ୍ସାହୀ ଦାତା ଆଗକୁ ଆସିଛନ୍ତି। ତେବେ ବର୍ତ୍ତମାନ ‘ଆମ ପାଠାଗାରା’ ଅଭିଯାନ ମାଧ୍ୟମରେ ଅଭାବୀ ପିଲାମାନଙ୍କୁ ପୁସ୍ତକ ଯୋଗାଇବା ପାଇଁ ବର୍ଷା ଉଦ୍ୟମ କରିଛନ୍ତି। ଅନ୍ୟପଟେ ବର୍ଷା ସ୍ୱଇଚ୍ଛାରେ ଦାତାମାନେ ଦାନ କରିଥିବା ବିଭିନ୍ନ ପୁସ୍ତକ ମଧ୍ୟରୁ ବିଭିନ୍ନ ପାଠ୍ୟ ପୁସ୍ତକ, ସାଥୀ ବହି ଠାରୁ ଆରମ୍ଭ କରି ପ୍ରସିଦ୍ଧ ଉପନ୍ୟାସ ଓ ଜୀବନୀ ଲିଖିତ ପୁସ୍ତକ ଖଣ୍ଡଗିରିସ୍ଥିତ ଜୀବନଜ୍ୟୋତି ଆଶ୍ରମରେ ବଣ୍ଟନ କରିଛନ୍ତି।