ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘ ତରଫରୁ ଜଗନ୍ନାଥ ସାରକାଙ୍କୁ ୧୦ ଦଫା ଦାବି ପ୍ରଦାନ

ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡା ଜିଲ୍ଲାର ମଙ୍ଗଳ ବିଭାଗ ଅଧିନରେ କାର୍ଯ୍ୟରତ ଶିକ୍ଷକମାନେ ସମ୍ମୁଖୀନ କରୁଥିବା ଦୈନଦିନ ସମସ୍ୟାକୁ ନେଇ ବିଭାଗୀୟ ମନ୍ତ୍ରୀ ଅନୁସୂଚିତ ଜାତି, ଜନଜାତି ବିକାଶ ତଥା ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ସାକ୍ଷାତ କରି ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ପରିପ୍ରେକ୍ଷୀରେ ଶିକ୍ଷକ ସଂଘ ପକ୍ଷରୁ ୧୦ ଦଫା ଦାବି ପ୍ରଦାନ କରାଯାଇଛି।

ଏଥିରେ ଅନ୍ୱେଷାରେ କାର୍ଯ୍ୟରତ ଥିବା ବିଏ, ବିଇଡି ଓ ହେଡସେବକଙ୍କୁ ତୁରନ୍ତ ଉଚ୍ଚ ବିଦ୍ୟାଳୟରେ ଓ ସେବାଶ୍ରମରେ ଶିକ୍ଷାଦନ ପାଇଁ ଅବସ୍ଥାପିତ କରିବା, ଆଶ୍ରମ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଦାୟିତ୍ୱ ତୁଲାଉଥିବା ଟିଜିଟି ଶିକ୍ଷକଙ୍କୁ ତୁରନ୍ତ ଉଚ୍ଚ ବିଦ୍ୟାଳୟରେ ଶିକ୍ଷାଦାନ କରିବା ପାଇଁ ଟିଜିଟି ଶିକ୍ଷକ ଭାବରେ ଅବସ୍ଥାପିତ କରାଇବା ସହ ଟିଜିଟି ବରିଷ୍ଠତା ଭିତିରେ ଆଶ୍ରମ ବିଦ୍ୟାଳୟରେ ପ୍ରଧାନଶିକ୍ଷକଙ୍କୁ ନିଯୁକ୍ତ ଦେବା। ଏଥି ସହ ବିଦ୍ୟାଳୟ ମାନଙ୍କରେ ୧୦ ବର୍ଷରୁ ଊଦ୍ଧ୍ୱର୍ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ତୁରନ୍ତ ବଦଳି କରାଯାଉ। ବଦଳି କରାଯିବା ସମୟରେ ସ୍ୱାସ୍ଥ୍ୟଗତ ସମସ୍ୟା ଓ ନିଜ ନିଜ ସ୍ତ୍ରୀମାନଙ୍କ ସ୍ଥିତିକୁ ଦୃଷ୍ଟି ଆଗରେ ରଖି ବଦଳି କରାଯାଉ ବୋଲି ସଂଘ ଦାବି କରିଛି।

ଏଥିସହ ସଂଘର କର୍ମକର୍ତ୍ତାମାନେ ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥିଙ୍କୁ ମଧ୍ୟ ସାକ୍ଷାତ କରି ଜିଲ୍ଲାରେ ୧୦ ବର୍ଷ ଧରି ପ୍ରାୟ ୨୦୦ ଶିକ୍ଷକ ବଦଳି ନ ହୋଇ ଗୋଟିଏ ସ୍ଥାନରେ ରହିଥିବା ସଂଘ ଅଭିଯୋଗ କରିଛି। ବିଇଡି ଶିକ୍ଷକମାନଙ୍କୁ ତୁରନ୍ତ ପଦୋନ୍ନତି ପାଇଁ ସଂଘ ଦାବି କରିଥିଲା। ସଂଘ ତରଫରୁ ଯେଉଁ ଦାବି ଉପସ୍ଥାପନ କରାଯାଇଛି ତୁରନ୍ତ ତାହା ନିଷ୍କର୍ସ ବାହାର କରାଯିବ ବୋଲି ମଙ୍ଗଳ ଅଧିକାରୀ ଶ୍ରୀ ଶତପଥି ପ୍ରକାଶ କରିଛନ୍ତି।