ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ସୁପ୍ରସିଦ୍ଧ ବଡ଼ଯାତ୍ରା ଆରମ୍ଭ ହେବାକୁ ଥିବାବେଳେ ଜନସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ପଦକ୍ଷେପସ୍ୱରୂପ, ଗତକାଲି ଅର୍ଥାତ ମାର୍ଚ୍ଚ ୨୩ ରାତ୍ରି ୯ଟାରୁ ୩୧ ତାରିଖ ରାତ୍ରି ୧୧.୫୯ ମିନିଟ ପର୍ଯ୍ୟନ୍ତ ରାତ୍ରି କର୍ଫ୍ୟୁ ଲାଗୁ ହୋଇଛି। ଏଥିସହିତ କୌଣସି ବ୍ୟକ୍ତି ବାହାର ରାଜ୍ୟରୁ ଆସିଲେ ୭ଦିନ ପର୍ଯ୍ୟନ୍ତ ଗୃହ ସଂଗରୋଧରେ ରହିବାକୁ ବାଧ୍ୟତାମୂଳକ କରାଯାଇଛି। କର୍ଫ୍ୟୁକୁ ଦୃଷ୍ଟିରେ ରଖି ଜିଲ୍ଲା ସଦର ମହାକୁମାଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସହରର ବିଭିନ୍ନ ଛକଠାରେ ପୁଲିସ ପକ୍ଷରୁ ମାସ୍କ ଓ ହେଲମେଟ ଯାଞ୍ଚ କରାଯାଉଥିବା ବେଳେ ଖିଲାପକାରୀଙ୍କ ନିକଟରୁ ଜୋରିମାନା ଆଦାୟ କରାଯାଉଛି। ରାତ୍ରି କର୍ଫ୍ୟୁ ଯୋଗୁ ରାତି ୯ଟାରେ ସମସ୍ତ ଦୋକାନ ବଜାର ବନ୍ଦ କରାଯାଇଥିବାବେଳେ ଜରୁରୀ ସେବାକୁ ଏଥିରୁ ବାଦ ଦିଆଯାଇଛି। ଜିଲ୍ଲାବାସୀ ଜିଲ୍ଲା ପ୍ରଶାସନର ନିଷ୍ପତ୍ତିକୁ ସମ୍ମାନ ଦେବା ସହ ପୁଲିସକୁ ସହଯୋଗ କରିବାକୁ ମାଲକାନଗିରି ଆଦର୍ଶ ଥାନା ଭାରପ୍ରାପ୍ତ ନିରୀକ୍ଷକ ରାମ ପ୍ରସାଦ ନାଗ ଆବେଦନ କରିଛନ୍ତି।