ପାଣିରେ ବୁଡ଼ି ୨ ଶିଶୁ ମୃତ

କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ତାରଲାକୋଟା ପଂଚାୟତର ସି-କଲୋନୀଠାରେ ଆଜି ଏକ ଦୁଃଖଦ ଘଟଣା ଘଟିଛି। ଆଜି ଦ୍ୱିପ୍ରହରରେ ସି-କଲୋନୀର କୁନି କୁନି ପିଲାମାନେ ନିକଟରେ ଥିବା ଏକ ବନ୍ଧକୁ ଗାଧୋଇବାକୁ ଯାଇଥିଲେ। ସବୁ ପିଲାମାନେ ଗାଧୋଉଥିବା ବେଳେ ହଠାତ ଗଭୀର ପାଣି ମଧ୍ୟକୁ ଗାଁର ୨ ଶିଶୁ ଚାଲି ଯାଇଥିଲେ। ପାଣିରେ ଦୁଇ ଶିଶୁ ବୁଡ଼ିଯିବା ଦେଖି ସେଠାରେ ଥିବା ଅନ୍ୟ ପିଲାମାନେ ଗାଁ ଲୋକଙ୍କୁ ଡାକିଥିଲେ। ଗ୍ରାମବାସୀ ପାଣି ମଧ୍ୟକୁ ଯାଇ ୨ ଶିଶୁକୁ ଉଦ୍ଧାର କରି ଅଟୋ ଯୋଗେ କୋରୁକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଡାକ୍ତର ସେଠାରେ ୨ ଶିଶୁଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଶିଶୁଦ୍ୱୟ ହେଲେ ସି-କଲୋନୀର ଧନୁ ଗୋଲରୀଙ୍କ ୭ ବର୍ଷର ଝିଅ ରଞ୍ଜିତା ଗୋଲରୀ ଓ ଅନ୍ୟ ଶିଶୁଟି ଗୋପୀ ଖରାଙ୍କ ୮ ବର୍ଷର ପୁଅ ମେଘ ଖରା। ଓରକେଲ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଶବ ବ୍ୟବଚ୍ଛେଦ ପରେ ୨ ଶିଶୁଙ୍କୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ଦେଇଛି।