ଜୟପୁର,ଏନ୍ଏନ୍ଏସ୍: ଜୟପୁର ସଦର ଥାନା ପୁଲିସ ଏକ କଣ୍ଟେନରରୁ ୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଥିବାବେଳେ ଏଥିରେ ସମ୍ପୃକ୍ତ ଥିବା ୨ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତଦ୍ୱୟ ହେଲେ ଉତ୍ତରପ୍ରଦେଶର ଔରଲ୍ୟା ଜିଲ୍ଲା ଦିବ୍ୟାପୁର ଥାନାତୁଲାସିକି ଗ୍ରାମର ସଞ୍ଜୟ କୁମାର (୪୦) ଓ ହାଜିମଲ୍ ଥାନା ରସୁଲପୁର ଗ୍ରାମର ବିକାଶ ବାବୁ(୨୧)। ଜୟପୁରରୁ ବୋରିଗୁମ୍ମା ଆଡ଼କୁ କଣ୍ଟେନରରେ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ଜୟପୁର ସଦର ଥାନା ପୁଲିସକୁ ମିଳିଥିଲା। ସୂଚନା ମୁତାବିକ ଜୟପୁର ସଦର ଥାନା ଭାରପ୍ରାପ୍ତ ଅଧିକାରୀ ଏ.ମହାକୁଡ଼, ସବଇନ୍ସପେକ୍ଟର ଏସ୍.ପଣ୍ଡା ଓ ଅନ୍ୟମାନେ ଗାଡ଼ିକୁ ପିଛା କରି ଉମୁରୀ ଛକରେ ଧରିଥିଲେ। କଣ୍ଟେନର ଯାଞ୍ଚ କରିବା ପରେ ସେଥିରୁ ୨ଟି ଜରି ଅଖାରୁ ୫୦ କିଲୋଗ୍ରାମ୍ ଗଞ୍ଜେଇ ମିଳିଥିଲା। ଗଞ୍ଜେଇ ସହ ପୁଲିସ୍ କଣ୍ଟେନର, ନଗଦ ୯,୧୦୦ ଟଙ୍କା, ୨ଟି ମୋବାଇଲ୍ ଫୋନ୍ ଓ ୨୯୦ ପେକେଟ୍ କାଜୁ ଜବତ କରିଥିଲା।