ଇସ୍ରାଏଲ୍ ଦୂତାବାସ ନିକଟରେ ବିସ୍ଫୋରଣ ଘଟଣା; ତଦନ୍ତ ଦାୟିତ୍ୱ ନେଲା ଏନ୍ଆଇଏ

ନୂଆଦିଲ୍ଲୀ,ଏଜେନ୍ସି: ମଙ୍ଗଳବାର କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଦିଲ୍ଲୀସ୍ଥିତ ଇସ୍ରାଏଲ୍ ଦୂତାବାସ ନିକଟରେ ବିସ୍ଫୋରଣ ଘଟଣାର ତଦନ୍ତ ଦାୟିତ୍ୱ ରାଷ୍ଟ୍ରୀୟ ତଦନ୍ତ ଏଜେନ୍ସି(ଏନ୍ଆଇଏ)କୁ ହସ୍ତାନ୍ତର କରାଯାଇଛି। ଗତ ଶୁକ୍ରବାର ସନ୍ଧ୍ୟାରେ ଦିଲ୍ଲୀର ଲୁଟେଏନ୍ସ ଠାରେ ଥିବା ଇସ୍ରାଏଲ୍ ଦୂତାବାସ ନିକଟରେ ଏକ ଛୋଟ ଧରଣର ଆଇଇଡ଼ି ବିସ୍ଫୋରଣ ଘଟିଥିଲା। ଏଥିରେ କେତେକ କାର୍ ଭାଙ୍ଗିିରୁଜି ଯାଇଥିଲା।

ପୁଲିସ ସୂଚନା ଅନୁଯାୟୀ, ଡ.ଏପିଜେ ଅବଦୁଲ୍ କଲାମ୍ ରୋଡରେ ଥିବା ଦୂତାବାସ ଠାରୁ ୧୫୦ ମିଟର ଦୂରରେ ଏଭଳି ବିସ୍ଫୋରଣ ଘଟିଥିଲା। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରାଏଲ୍ ପ୍ରତିପକ୍ଷ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ଅଲୋଚନା କଲାବେଳେ ବିସ୍ଫୋରଣ ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଇସ୍ରାଏଲ୍ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଦିଲ୍ଲୀ ସ୍ଥିତି ଦୂତାବାସରେ ସମସ୍ତ କୂଟନୀତିଜ୍ଞ ସୁରକ୍ଷିତ ଅଛନ୍ତି।