ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍: ଷ୍ଟାଡିୟମ୍‌ରେ ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି

ଚେନ୍ନାଇ,ଏଜେନ୍ସି: ଭ୍ରମଣକାରୀ ଇଂଲଣ୍ଡ ଓ ଘରୋଇ ଭାରତୀୟ କ୍ରିକେଟ୍‌ ଦଳ ମଧ୍ୟରେ ଖେଳାଯିବାକୁ ଥିବା ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍ ଆସନ୍ତା ୫ରୁ ଏଠାରେ​‌ ଖେଳାଯିବ। ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍ ପାଇଁ ଭାରତ ଓ ଇଂଲଣ୍ଡ କ୍ରିକେଟର୍‌ମାନେ ମଙ୍ଗଳବାର ଅଭ୍ୟାସ ଆରମ୍ଭ କରିଛନ୍ତି। ସୂଚନାଥାଉକି ଭାରତୀୟ କ୍ରିକେଟ୍‌ ଦଳର ସଦସ୍ୟମାନେ ଚେନ୍ନଇରେ ପହଞ୍ଚିବା ପରେ ନିୟମାନୁଯାୟୀ ୬ ଦିନ ସଂଗରୋଧରେ ରହିଥିଲେ। ସଂଗରୋଧ ସମୟ ମଧ୍ୟରେ ସେମାନଙ୍କର ୩ଥର କୋଭିଡ୍ ପରୀକ୍ଷା କରାଯାଇଥିଲା। କୋଭିଡ୍ ପରୀକ୍ଷା ରିପୋର୍ଟ ନେଗେଟିଭ୍‌ ଆସିବା ପରେ ସେମାନଙ୍କୁ ଅଭ୍ୟାସ ପାଇଁ ସୁଯୋଗ ମିଳିଛି। ସ୍ଥାନୀୟ ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡ଼ିୟମରେ ଭାରତୀୟ ଦଳର ସଦସ୍ୟମାନେ ଏକତ୍ରିତ ହେବା ପରେ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ସେମାନଙ୍କୁ ସ୍ୱାଗତ କରିବା ସହ ନିଜ ଉଦ‌ବୋଧନ ଦ୍ୱାରା ସମସ୍ତଙ୍କ ମନୋବଳ ବଢ଼ାଇଛନ୍ତି। ବର୍ତ୍ତମାନ ଖେଳାଳିମାନେ ଅଭ୍ୟାସ ଆରମ୍ଭ କରିଛନ୍ତି।

ସେହିପରି ଇଂଲଣ୍ଡ କ୍ରିକେଟ୍ ଦଳର ସଦସ୍ୟମାନେ ମଧ୍ୟ ୬ ଦିନ ସଂଗରୋଧରେ ରହିଥିଲେ। ସେମାନଙ୍କର ୩ଟି କୋଭିଡ୍‌ ପରୀକ୍ଷା କରାଯାଇଥିବା ବେଳେ ସବୁ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ଇଂଲଣ୍ଡ କ୍ରିକେଟରମାନେ ମଧ୍ୟ ଅଭ୍ୟାସ ଆରମ୍ଭ କରିଛନ୍ତି। ତେବେ ଇଂଲଣ୍ଡ ଦଳ ସହ ଶ୍ରୀଲଙ୍କା ଗସ୍ତରେ ଯାଇନଥିବା ବେନ୍‌ ଷ୍ଟୋକ୍‌ସ, ଜୋଫ୍ରା ଆର୍ଚର ଓ ରୋରି ବର୍ନସ ପ୍ରମୁଖ ଆଗୁଆ ଚେନ୍ନାଇରେ ପହଞ୍ଚି ସଂଗରୋଧରେ ରହିଥିଲେ। ସେମାନଙ୍କ ସଂଗରୋଧ ସମୟ ଆଗୁଆ ଶେଷ ହୋଇଥିବାରୁ ଏହି ୩ କ୍ରିକେଟର୍‌ ପୂର୍ବରୁ ଅଭ୍ୟାସ ଜାରି ରଖିଥିବା ବେଳେ ମଙ୍ଗଳବାର ଦଳ ସହ ଅଭ୍ୟାସ କରିଥିଲେ।

ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍‌ ଚେନ୍ନଇରେ ଖେଳାଯିବ। ପ୍ରଥମ ଟେଷ୍ଟରେ ଦର୍ଶକଙ୍କୁ ଷ୍ଟାଡ଼ିୟମ ବାରଣ ହୋଇଥିବା ବେଳେ ଆସନ୍ତା ୧୩ରୁ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟ ନିମନ୍ତେ ଷ୍ଟାଡ଼ିୟମରେ ୫୦% ଦର୍ଶକ ରହିବେ ବୋଲି ନିଷ୍ପତ୍ତି ହୋଇଛି। ପରବର୍ତ୍ତୀ ଦୁଇଟି ଟେଷ୍ଟ ଅହମ୍ମଦାବାଦର ମୋଟେରା ଷ୍ଟାଡ଼ିୟମରେ ଖେଳାଯିବାକୁ ଥିବା ବେଳେ ଏହି ଦୁଇଟି ଟେଷ୍ଟରେ ଦର୍ଶକ ଉପସ୍ଥିତ ରହିବେ ବୋଲି ବିସିସିଆଇ ତରଫରୁ ସୂଚନା ପ୍ରଦାନ କରାଯାଇଛି। ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ ପରେ ଦୁଇ ଦଳ ମଧ୍ୟରେ ୫ଟି ଟୋଣ୍ଟି-୨୦ ମ୍ୟାଚ୍‌ ଓ ୩ଟି ଦିନିକିଆ ମ୍ୟାଚ୍‌ ଖେଳାଯିବ।