ଡବ୍ଲ୍ୟୁଏଚଓ ଟିମର ଉହାନ୍ ପଶୁ ଚିକିତ୍ସାକେନ୍ଦ୍ର ପରିଦର୍ଶନ

ଉହାନ୍,ଏଜେନ୍ସି: କରୋନା ଭୂତାଣୁର ଉତ୍ପତ୍ତିସ୍ଥଳ କୁହାଯାଉଥିବା ଚୀନର ଉହାନକୁ ଯାଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) ଟିମ ମଙ୍ଗଳବାର ଏକ ପଶୁ ଚିକତ୍ସାକେନ୍ଦ୍ର ପରିଦର୍ଶନ କରିଛନ୍ତି। ଉହାନରେ କରୋନା ଭୂତାଣୁର ଉତ୍ପତ୍ତି ସମ୍ପର୍କରେ ସେମାନେ ଅନୁସନ୍ଧାନ କରୁଛନ୍ତି। ଏହା ପୂର୍ବରୁ ଡବ୍ଲ୍ୟୁଏଚଓ ଟିମ୍ ଚୀନର ବୈଜ୍ଞାନିକମାନଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ।

ଏଥିସହ କେତେକ ପ୍ରମୁଖ ହସ୍ପିଟାଲ୍, ଆଞ୍ଚଳିକ ରୋଗ ନିୟନ୍ତ୍ରଣ କେନ୍ଦ୍ର ପରିଦର୍ଶନ କରି ଉହାନରେ ପ୍ରଥମେ କରୋନା ଭୂତାଣୁର ଉଦଭବ ଘଟିଛି କି ନାହିଁ ସେ ସମ୍ପର୍କରେ ଅନୁସନ୍ଧାନ କରିଥିଲେ। ଡବ୍ଲ୍ୟୁଏଚଓ ଟିମର ସଦସ୍ୟ ତଥା ଇକୋ ହେଲ୍ଥ ଆଲାଏନ୍ସର ଅଧ୍ୟକ୍ଷ ପିଟର ଗ୍ରାସଜାକ୍ ଗଣମାଧ୍ୟମକୁ କହିଛନ୍ତି, ସେମାନଙ୍କ ଗସ୍ତ ଖୁବ୍ ଚମତ୍କାର ହୋଇଛି। ଦକ୍ଷିଣ ଚୀନରେ ବାଦୁଡ଼ିଙ୍କ ଠାରୁ ଏହି ଭୂତାଣୁ ମଣିଷଙ୍କୁ କିଭଳି ସଂକ୍ରମିତ ହେଲା ସେ ସମ୍ପର୍କରେ ମଧ୍ୟ ଡବ୍ଲ୍ୟୁଏଚଓ ଟିମ୍ ଅନୁସନ୍ଧାନ ଚଳାଇଛନ୍ତି।