ଆସନ୍ତା ବର୍ଷ ଅଷ୍ଟ୍ରେଲିଆର ପାକିସ୍ତାନ ଗସ୍ତ

ଲାହୋର୍‌,ଏଜେନ୍ସି: ଦୀର୍ଘ ୨୪ ବର୍ଷ ପରେ ଅଷ୍ଟ୍ରେଲିଆ ଟିମ୍ ପାକିସ୍ତାନ ଗସ୍ତରେ ଯିବ। ଆସନ୍ତା ବର୍ଷ ଦଳ ପାକିସ୍ତାନରେ ପହଞ୍ଚି ଘରୋଇ ଦଳ ବିପକ୍ଷରେ ଏକ ପୂର୍ଣ୍ଣକାଳୀନ ସିରିଜ୍ ଖେଳିବ ବୋଲି କ୍ରିକେଟ୍ ଅଷ୍ଟ୍ରେଲିଆ (ସିଏ) ସହମତ ହୋଇଛି। ନିକଟରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ୍‌ର ପାକିସ୍ତାନ ଗସ୍ତ କାର୍ଯ୍ୟସୂଚୀ ଚୂଡ଼ାନ୍ତ ହୋଇଥିଲେ ମଧ୍ୟ ସୁରକ୍ଷା କାରଣ ଦର୍ଶାଇ ଉଭୟ ଟିମ୍ ଏଥିରୁ ଓହରିଯାଇଥିଲେ। ଏଥିରେ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ବେଶ୍ କ୍ଷୋଭ ପ୍ରକାଶ କରିଥିଲା। ଏପରି ସ୍ଥିତିରେ ସିଏ ଅଷ୍ଟ୍ରେଲିଆ ଟିମ୍ ଗସ୍ତ ଚୂଡ଼ାନ୍ତ କରିବା ପରେ ପିସିବିକୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଶେଷଥର ପାଇଁ ଗତ ୧୯୯୮ରେ ପାକିସ୍ତାନ ମାଟିରେ ମ୍ୟାଚ୍ ଖେଳିଥିବା ଅଷ୍ଟ୍ରେଲିଆ ଆଗାମୀ ଗସ୍ତରେ ୩ଟି ଟେଷ୍ଟ୍ ଖେଳିବ, ଯାହାକି ୱାର୍ଲ୍ଡ ଟେଷ୍ଟ୍ ଚାମ୍ପିଅନ୍‌ଶିପ୍‌ରେ ସାମିଲ୍।

ଉକ୍ତ ମ୍ୟାଚ୍‌ଗୁଡ଼ିକ କରାଚୀ (ମାର୍ଚ୍ଚ ୩ରୁ ୭), ରାୱଲପିଣ୍ଡି (ମାର୍ଚ୍ଚ ୧୨ରୁ ୧୬) ଏବଂ ଲାହୋର୍ (ମାର୍ଚ୍ଚ ୨୧ରୁ ୨୫)ଠାରେ ଖେଳାଯିବ। ସେହିପରି ଲାହୋର୍‌ଠାରେ ମାର୍ଚ୍ଚ ୨୯ରୁ ଏପ୍ରିଲ୍ ୫ ତାରିଖ ମଧ୍ୟରେ ୪ଟି ଦିନିକିଆ ମ୍ୟାଚ୍ ଖେଳାଯିବ ବୋଲି ସୋମବାର ପିସିବି ପକ୍ଷରୁ କୁହାଯାଇଛି। ନିକଟରେ ପିସିବି ମୁଖ୍ୟ ଭାବେ ଦାୟିତ୍ୱ ନେଇଥିବା ପୂର୍ବତନ କ୍ରିକେଟର୍ ରମିଜ୍ ରାଜାଙ୍କ ସକାଶେ ଅଷ୍ଟ୍ରେଲିଆ ଗସ୍ତ ଏକ ବହୁତ ବଡ଼ ସଫଳତା ହେବ। ବିଶେଷକରି ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ୍ ସେମାନଙ୍କ ଗସ୍ତ ବାତିଲ୍ କରିବା ପରେ ଅଷ୍ଟ୍ରେଲିଆର ଆଗମନ ନେଇ ରମିଜ୍ ଆଦୌ ଆଶାବାଦୀ ନ ଥିଲେ। ତେଣୁ ଅଷ୍ଟ୍ରେଲିଆ ପାକିସ୍ତାନ ମାଟିରେ ୩ଟି ଟେଷ୍ଟ୍ ଖେଳିବା ସକାଶେ ରାଜି ହେବା ତାଙ୍କ ପାଇଁ ସବୁଠାରୁ ବଡ଼ ଖୁସିର ଖବର ବୋଲି ରମିଜ୍ କହିଛନ୍ତି। ଅଷ୍ଟ୍ରେଲିଆ ପରି ଏକ ଶକ୍ତିଶାଳୀ ଦଳ ପାକିସ୍ତାନରେ ଟେଷ୍ଟ୍ ମ୍ୟାଚ୍ ଖେଳିବା ପାକିସ୍ତାନୀ ଦର୍ଶକଙ୍କ ପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ମୁହୂର୍ତ୍ତ ହେବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ ଗତ ସେପ୍ଟେମ୍ବରରେ ନ୍ୟୁଜିଲାଣ୍ଡ୍ ସିରିଜ୍ ଖେଳିବା ସକାଶେ ପାକିସ୍ତାନ ମାଟିରେ ପାଦ ଦେଇସାରିଥିଲେ ମଧ୍ୟ ସୁରକ୍ଷା କାରଣରୁ ବିନା କୌଣସି ମ୍ୟାଚ୍ ଖେଳି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଥିଲା। ସେହିପରି ଇଂଲଣ୍ଡ ମଧ୍ୟ ଟି-୨୦ ବିଶ୍ୱକପ୍ ପୂର୍ବରୁ ପାକିସ୍ତାନ ଗସ୍ତ କରିବ ବୋଲି ନିଷ୍ପତ୍ତି ନେଇଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ନିଷ୍ପତ୍ତି ବଦଳାଇଥିଲା। ଫଳସ୍ୱରୂପ ପାକିସ୍ତାନକୁ ଅନ୍ତର୍ଜାତୀୟ କ୍ରିକେଟ୍‌ର ପ୍ରତ୍ୟାବର୍ତ୍ତନ ନେଇ ଆଶାବାଦୀ ଥିବା ପିସିବିକୁ ଜବରଦସ୍ତ ଝଟ୍‌କା ଲାଗିଥିଲା।