ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା, ଆମେରିକାର ସହାୟତା ଲୋଡ଼ିଲା ସିବିଆଇ

ନୂଆଦିଲ୍ଲୀ,ଏଜେନ୍ସି: ବଲିଉଡ ତାରକା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ କରୁଥିବା ସିବିଆଇ ଇତିମଧ୍ୟରେ ଆମେରିକା ସରକାରଙ୍କ ସହାୟତା ଲୋଡିଥିବା ଜଣାପଡିଛି। ୨୦୨୦ ଜୁନ୍ ୧୪ରେ ସୁଶାନ୍ତଙ୍କ ମୃତଦେହକୁ ପୁଲିସ ତାଙ୍କର ମୁମ୍ବାଇସ୍ଥିତ ବାସଭବନରୁ ଉଦ୍ଧାର କରିଥିଲା। ତେବେ ଏହା ଏକ ହତ୍ୟା, ଆତ୍ମହତ୍ୟା ନା ଦୁର୍ଘଟଣା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ।

ଜୁନ୍ ୧୪ ପୂର୍ବରୁ ସୁଶାନ୍ତଙ୍କ ଇ-ମେଲ ଓ ଅନ୍ୟ ସାମାଜିକ ଗଣମାଧ୍ୟମ ଆକାଉଣ୍ଟର ବିଷୟବସ୍ତୁ ସମ୍ପର୍କରେ ପ୍ରକୃତ ତଥ୍ୟ ହାସଲ କରିବାକୁ ସିବିଆଇ ପକ୍ଷରୁ ଆମେରିକାସ୍ଥିତ ଗୁଗଲ ଓ ଫେସ୍‌ବୁକ୍‌ର ସହାୟତା ଲୋଡାଯାଇଛି। ଭାରତ ଓ ଆମେରିକା ମଧ୍ୟରେ ସ୍ୱାକ୍ଷରିତ ଏମଏଲଏଟି (ମ୍ୟୁଚୁଆଲ ଲିଗାଲ ଆସିଷ୍ଟାନ୍ସ ଟ୍ରିଟି) ଚୁକ୍ତି ଅନୁଯାୟୀ ଏଭଳି ଅନୁରୋଧ କରାଯାଇଛି। ସୁଶାନ୍ତଙ୍କର ମୃତ୍ୟୁପରେ ଏହି ଆକାଉଣ୍ଟଗୁଡିକୁ କେହି ଡିଲିଟ୍ କରିଥିବା ସନ୍ଦେହ କରାଯାଉଛି।