ଶାଶୁଘର ଯିବା ବାଟରେ ପ୍ରେମିକ ସହ ନବବୋଧୂ ଫେରାର

ଝାରସୁଗୁଡ଼ା,ଏନ୍‌ଏନ୍‌ଏସ୍‌: ବ୍ରଜରାଜନଗର ଥାନା ଗାନ୍ଧିଛକ ଫାଣ୍ଡି ଅଞ୍ଚଳରେ ଜଣେ ନବ ବିବାହିତା କନ୍ୟା ପ୍ରେମିକ ସହିତ ଫେରାର ମାରିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ବିବାହ ସରିବା ପରେ ଶାଶୁଘରକୁ ଯିବା ବାଟରେ ବାନ୍ତି ଲାଗୁଚି କହି କନ୍ୟା ଜଣକ କାରରୁ ଓହ୍ଲାଇ ପ୍ରେମିକ ସହ ଫେରାର ମାରିଥିଲେ । ପରେ ବରପକ୍ଷ ଓ କନ୍ୟାପକ୍ଷର ସହମତିରେ କନ୍ୟାର ସାନ ଭଉଣୀକୁ ପୁଣି ବିବାହ କରି ବର ଘରକୁ ଫେରିଥିବା ଜଣାପଡ଼ିଛି ।

ମିଳିଥିବା ରିପୋର୍ଟ ମୁତାବକ, ଗାନ୍ଧିଛକ ଫାଣ୍ଡି ଅଞ୍ଚଳର ଜଣେ ଯୁବତୀଙ୍କ ବିବାହ ସୁନ୍ଦରଗଡ଼ ଜିଲ୍ଲାର ଜଣେ ବରପାତ୍ରଙ୍କ ସହିତ ହୋଇଥିଲା । ଶନିବାର କନ୍ୟା ଘରେ ବର ପହଞ୍ଚିଥିଲେ । ଧାର୍ଯ୍ୟ ସମୟରେ ବିବାହ ପାଣିଗ୍ରହଣ ସରିବା ସହ ବରଯାତ୍ରୀ ମଧ୍ୟ ଭଲରେ ଭୋଜି ଖାଇଥିଲେ । ରାତି ୧୦ଟା ୩୦ମିନିଟରେ ପରିବାର ଲୋକ ବର କନ୍ୟାଙ୍କୁ ଅଶ୍ରୁଳ ବିଦାୟ ଦେଇଥିଲେ । କିନ୍ତୁୁ ବର ଗାଡ଼ି ଗାଁ ମୁଣ୍ଡରେ ପହଞ୍ଚିବା ପରେ କନ୍ୟା ବାନ୍ତି ଲାଗୁଚି କହି ଗାଡ଼ିରୁ ଓହ୍ଲାଇ ଯାଇଥିଲେ । କନ୍ୟା ଟିକେ ଆଗକୁ ଯାଇ ବାନ୍ତି କରିବା ଅଭିନୟ କରିବା ସମୟରେ ଆଗରେ ବାଇକ ଧରି ପ୍ରସ୍ତୁତ ଥିବା ପ୍ରେମିକ ସହ ଫେରାର ହୋଇଯାଇଥିଲେ । କନ୍ୟା ଫେରାର ହେବା ଜାଣିବା ପରେ ବରପକ୍ଷ ଚିନ୍ତାରେ ପଡ଼ି ଯାଇଥିଲେ । ଲୋକଲଜ୍ଜା ଓ ନିଜ ପରିବାର ସମ୍ମାନ ରକ୍ଷା ଉଦ୍ଦେଶ୍ୟରେ ସେମାନେ କନ୍ୟାର ଗ୍ରାମକୁ ଫେରି ଉଭୟ ପରିବାର ଆଲୋଚନା କରିଥିଲେ । ଶେଷରେ କନ୍ୟାର ସାନ ଭଉଣୀ ସହ ବିବାହ ସମ୍ପନ୍ନ ହୋଇଥିଲା । ତେବେ କନ୍ୟାର କାକା ପକ୍ଷରୁ ଏନେଇ ଫାଣ୍ଡିରେ ଏକ ନିଖୋଜ ମାମଲା ରୁଜୁ ହୋଇଥିବା ଗାନ୍ଧିଛକ ଫାଣ୍ଡି ଅଧିକାରୀ ସୂଚନା ଦେଇଛନ୍ତି ।