ନୂଆଦିଲ୍ଲୀ,ଏଜେନ୍ସି: ଭାରତରେ ପୁଣି ବଢିଲା କରୋନା ସଂକଟ। ଦେଶରେ କରୋନା ଭୂତାଣୁର ନୂତନ ଷ୍ଟ୍ରେନରେ ୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ସମସ୍ତେ ବ୍ରିଟେନ ଫେରନ୍ତା। କରୋନା ଭାଇରସର ନୂତନ ଷ୍ଟ୍ରେନରେ ଚିହ୍ନଟ ହୋଇଥିବା ୬ ଜଣଙ୍କ ମଧ୍ୟରୁ ୩ ଜଣଙ୍କର ନମୁନା ବାଙ୍ଗାଲୋରର ନିମହଂସ, ୨ ଜଣଙ୍କର ହାଇଦ୍ରାବାଦର ସିସିଏମବି ଏବଂ ଜଣଙ୍କର ପୁଣେର ଏନଆଇବିକୁ ପଠାଯାଇଥିଲା। ସେମାନଙ୍କୁ ଗୋଟିଏ କୋଠରୀରେ ଆଇସୋଲେଟ କରାଯାଇଛି। ବ୍ରିଟେନରୁ ମିଳିଥିବା ସାର୍ସ କୋଭିଡ -୨ର ନୂତନ ଷ୍ଟ୍ରେନରେ ବ୍ରିଟେନରୁ ଭାରତ ଆସିଥିବା ୬ ଜଣ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି।
୨୫ ନଭେମ୍ବରରୁ ୨୩ ଡିସେମ୍ବର ମଧ୍ୟରେ ପ୍ରାୟ ୩୩,୦୦୦ ଯାତ୍ରୀ ବ୍ରିଟେନରୁ ବିଭିନ୍ନ ଭାରତୀୟ ବିମାନବନ୍ଦରରେ ପହଞ୍ଚିଥିଲେ। ଏହି ସମସ୍ତ ଯାତ୍ରୀଙ୍କୁ ଆରଟି-ପିସିଆର ପରୀକ୍ଷା ଦ୍ୱାରା ଟ୍ରାକ କରାଯାଉଛି। ଏପର୍ଯ୍ୟନ୍ତ କେବଳ ୧୧୪ ଜଣ ଲୋକ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ସୂଚନା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଛି।