ଲାଗୁ ହେବ ନୂଆ ନିୟମ: ଅନଲାଇନ୍ ସପିଂବେଳେ ଦେବାକୁ ପଡ଼ିବ ୧୬ ଅଙ୍କ କାର୍ଡ ନଂ.

  • ନୂଆଦିଲ୍ଲୀ: ଯଦି ଆପଣ ଅଧିକାଂଶ ନେଣଦେଣ ଅନଲାଇନ ମାଧ୍ୟମରେ କରୁଛନ୍ତି ବା ଅନଲାଇନରେ ପ୍ରାୟ ସମୟ ସପିଂ କରୁଛନ୍ତି, ତେବେ ଖୁବଶୀଘ୍ର ନୂଆ ଢଙ୍ଗରେ ପେମେଣ୍ଟ କରିବାକୁ ପଡିବ। କାରଣ ଖୁବଶୀଘ୍ର କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ ମାଧ୍ୟମରେ ପେମେଣ୍ଟ୍ କରିବାକୁ ହେଲେ ଆପଣଙ୍କୁ ସିଭିଭି ନଂ. ସହିତ ୧୬ ଅଙ୍କବିଶିଷ୍ଟ କାର୍ଡ ନଂ. ଦେବାକୁ ପଡିବ। ଅନଲାଇନ୍ ଠକେଇକୁ ରୋକିବା ପାଇଁ ଆରବିଆଇ ଏହି ପଦକ୍ଷେପ ନେବାକୁ ଯାଉଛି।
    ଏହା ସହିତ, ଆରବିଆଇ ସେହି ସବୁ କମ୍ପାନୀଗୁଡିକ ଉପରେ ମଧ୍ୟ ଏକ ଲଗାମ ଲଗାଇବ, ଯେଉଁମାନେ ଗ୍ରାହକଙ୍କ ଡେବିଟ୍-କ୍ରେଡିଟ୍ କାର୍ଡର ତଥ୍ୟ ନିଜ ପାଖରେ ରଖୁଛନ୍ତି। ଆରବିଆଇର ନୂତନ ନିୟମ ପରେ, ଏହିପରି କମ୍ପାନୀଗୁଡିକ ଗ୍ରାହକଙ୍କ କ୍ରେଡିଟ-ଡେବିଟ୍ କାର୍ଡର ତଥ୍ୟକୁ ସେମାନଙ୍କ ସର୍ଭରରେ ସେଭ କରିବାରେ ସମର୍ଥ ହେବେ ନାହିଁ। ଆଉ ଗ୍ରାହକଙ୍କୁ ଯେକୌଣସି ଅନଲାଇନ୍ ପେମେଣ୍ଟ୍ କରିବା ସମୟରେ ତାଙ୍କର ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡର ସମ୍ପୂର୍ଣ୍ଣ ବିବରଣୀ ଦେବାକୁ ପଡିବ।
    ଅର୍ଥାତ ଏହି ନିୟମ ଲାଗୁ ହେବା ପରେ କେବଳ ସିଭିଭି ନଂ. କାମ କରିବ ନାହିଁ । ରିପୋର୍ଟ ଅନୁଯାୟୀ, ଏହି ନୂତନ ନିୟମ ଆସନ୍ତା ବର୍ଷ ଜାନୁଆରୀରୁ କାର୍ଯ୍ୟକାରୀ ହୋଇପାରେ। ଯଦିଓ ପୂର୍ବରୁ ଆରବିଆଇ ଏହି ନିୟମକୁ ଚଳିତ ବର୍ଷ ଜୁଲାଇରୁ କାର୍ଯ୍ୟକାରୀ କରିବାକୁ ଚାହୁଁଥିଲା, କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବାରେ ଅସୁବିଧା ହେତୁ ଏହା ହୋଇପାରିନାହିଁ। ଏସବୁକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଜାନୁଆରୀ ୨୦୨୨ରୁ ଏହି ନିୟମ ଲାଗୁ ହେବ।