ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ ନବୀନ ଜିନ୍ଦଲ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଜିନ୍ଦଲ୍ ଷ୍ଟିଲ୍ ଆଣ୍ଡ ପାୱାର ଲିଃ (ଜେଏସପିଏଲ)ର ଅଧ୍ୟକ୍ଷ ନବୀନ ଜିନ୍ଦଲ ଓଡିଶାର ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ସାକ୍ଷାତ କରି ଜେଏସ୍‌ପିଏଲ୍ ଅନୁଗୁଳ ଇସ୍ପାତ କାରଖାନାର କ୍ଷମତା ବାର୍ଷିକ ୨୫.୨ ନିୟୁତ ଟନକୁ ବୃଦ୍ଧି ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲା। ଜେଏସ୍‌ପିଏଲ୍‌ର ପରିଚାଳନା ନିର୍ଦ୍ଦେଶକ ଭି.ଆର୍ ଶର୍ମା, ଗୃପ ଆଡଭାଇଜର୍ (ଲିଗାଲ୍‌, କର୍ପୋରେସନ୍ ଆଫେୟାର୍ସ ଏବଂ ସଷ୍ଟେନେବିଲିଟି) ମନୀଷ ଖରବନ୍ଦା, ଜେପିଏଲ୍ ଅଧ୍ୟକ୍ଷ ଏ. କେ. ଝା ଏବଂ ଜେଏସପିଏଲ୍‌ର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଯୋଗଦେଇଥିଲେ।

ଜେଏସ୍‌ପିଏଲ୍ ଅନୁଗୁଳରେ ପ୍ରତିଷ୍ଠିତ ବାର୍ଷିକ ୬ ନିୟୁତ ଟନ କ୍ଷମତା ବିଶିଷ୍ଟ ସମନ୍ୱିତ ଇସ୍ପାତ କାରଖାନାକୁ ଗତବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଷ୍ଟେଟ୍ ହାଇ-ଲେବଲ କ୍ଲିୟରାନ୍ସ ଅଥରିଟି ବୈଠକରେ କାରଖାନାର କ୍ଷମତା ୨୦୩୦ ସୁଦ୍ଧା ବାର୍ଷିକ ୨୫.୨ ନିୟୁତ ଟନକୁ ବୃଦ୍ଧି କରିବା ପ୍ରକଳ୍ପକୁ ଅନୁମୋଦନ ପ୍ରଦାନ କରଯାଇଥିଲା। ଓଡିଶାରେ ଜେଏସପିଏଲର ପୁଞ୍ଜିନିବେଶ ଏକ ଲକ୍ଷ କୋଟିରୁ ଅଧିକ ହେବା ସହିତ ରାଜ୍ୟରେ ବିପୁଳ ଅର୍ଥନୈତିକ କାର୍ଯ୍ୟକଳାପ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ବଡ଼ବିଲ ସ୍ଥିତ କାଶିଆ ଖଣି ଫାଟକ ସାମ୍ନାରେ କରାଯାଇଥିବା ଅବରୋଧ ସମ୍ପର୍କରେ ଶ୍ରୀ ଜିନ୍ଦଲ ମୁଖ୍ୟ ଶାସନ ସଚିବଙ୍କ ଧ୍ୟାନ ଆକର୍ଷଣ କରି ଖଣି କାର୍ଯ୍ୟର ସୁପରିଚଳନା ପାଇଁ ଅବରୋଧକୁ ହଟାଇବା ପାଇଁ ଅନୁରୋଧ କରିଥିଲେ।

ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଇଥିବା ଗତ ଖଣି ନିଲାମରେ ୧୧୮.୧୦% ପ୍ରିମିୟମ ଦେଇ କାଶିଆ ଆଇରନ୍ ଏବଂ ଡୋଲୋମାଇଟ୍ ବ୍ଲକର ଖଣି ଲିଜ୍ ପାଇଥିଲା। ଆବଶ୍ୟକ ଅପ୍ ଫ୍ରଣ୍ଟ୍ ପେମେଣ୍ଟ, ସୁରକ୍ଷା ଡିପୋଜିଟ ଏବଂ ଷ୍ଟାମ୍ପ ଡ୍ୟୁଟି ବାବଦକୁ ପ୍ରାୟ ୧୫୦୦ କୋଟି ଟଙ୍କା ଜମା କରିବା ପରେ ଗତବର୍ଷ ନଭେମ୍ବରରେ ଏହି ଖଣି ପାଇଁ ଲିଜ୍ ଡିଲ୍ ସ୍ୱାକ୍ଷର ହୋଇଥିଲା।