ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତା ୧୯ରୁ ଭାରତୀୟ ୱେଟ୍ଲିଫ୍ଟିଂ ମହାସଂଘ (ଆଇଡବ୍ଲ୍ୟୁଏଲ୍ଏଫ୍) ପକ୍ଷରୁ ଓଡ଼ିଶା ୱେଟ୍ଲିଫ୍ଟିଂ ସଂଘ (ଓଡବ୍ଲ୍ୟୁଏ) ଏବଂ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ସହଯୋଗରେ କିଟ୍ ପରିସରସ୍ଥ ବିଜୁ ପଟ୍ଟନାୟକ ଇନ୍ଡୋର୍ ଷ୍ଟାଡିୟମ୍ରେ ଜାତୀୟ ୱେଟ୍ଲିଫ୍ଟିଂ ଚାମ୍ପିଅନ୍ଶିପ୍ ଆରମ୍ଭ ହେବ। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଇଭେଣ୍ଟ୍ରେ ପୁରୁଷ ଓ ମହିଳା ବିଭାଗରେ ୟୁଥ୍, ଜୁନିୟର୍ ଓ ସିନିୟର୍ ବର୍ଗରେ ୧୦ଟି ଓଜନ ବର୍ଗରେ ମୁକାବିଲା ହେବ। ଏଥିରେ ଓଡ଼ିଶା ସମେତ ୩୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରାୟ ୧୩ ଶହ ପ୍ରତିଯୋଗୀ ଅଂଶଗ୍ରହଣ କରିବେ।
ଏଥିରେ ୪୫ ଜଣ ପୁରୁଷ ଟେକ୍ନିକାଲ୍ ଅଫିସିଆଲ୍ଙ୍କ ସମେତ ୫୮ ଜଣ ଉପସ୍ଥିତ ରହିବେ। ଏହା ୨୦୨୨ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ ସକାଶେ କ୍ୱାଲିଫାୟର୍ ଇଭେଣ୍ଟ୍ ଭାବେ ପରିଗଣିତ ହେବ। ତା’ଛଡ଼ା ଏହା ଆଇଡବ୍ଲ୍ୟୁଏଫ୍ ୟୁଥ୍ ଓ ଜୁନିୟର୍ ଚାମ୍ପିଅନ୍ଶିପ୍ ସକାଶେ ମଧ୍ୟ କ୍ୱାଲିଫାଇଙ୍ଗ୍ ଇଭେଣ୍ଟ୍ ଭାବେ କାର୍ଯ୍ୟ କରିବ ବୋଲି ଆଇଡବ୍ଲ୍ୟୁଏଫ୍ ସଭାପତି ସହଦେବ ଯାଦବ କହିଛନ୍ତି। ସେହିପରି ପ୍ରତିଯୋଗିତାର ସଫଳ ଆୟୋଜନ କାମନା କରିଛନ୍ତି କ୍ରୀଡ଼ା ବିଭାଗ କମିଶନର୍ ତଥା ସଚିବ ଆର. ଭିନୀଲ୍କ୍ରିଷ୍ଣା। ଏହି ଟୁର୍ଣ୍ଣାମେଣ୍ଟ୍ଟି କୋଭିଡ୍ ପ୍ରୋଟୋକଲ୍ ଅବଲମ୍ବନ ପୂର୍ବକ ଆୟୋଜନ ହେବ ବୋଲି କୁହାଯାଇଛି।