ଧ୍ୟାନଚନ୍ଦଙ୍କ ଜନ୍ମ ଜୟନ୍ତୀ ଅବସରରେ ଜାତୀୟ କ୍ରୀଡା ଦିବସ ପାଳିତ

ଦେବଗଡ଼,ଏନ୍ଏନ୍ଏସ୍: ହକି ଯାଦୁଗର ଧ୍ୟାନଚନ୍ଦଙ୍କ ପବିତ୍ର ଜନ୍ମ ଜୟନ୍ତୀ ଅବସରରେ ଆଜି ଜିଲ୍ଲା କ୍ରୀଡା ବିଭାଗ ଏବଂ ଉତ୍କଳ ପ୍ରାନ୍ତୀୟ ମାରୱାଡି ଯୁବାମଞ୍ଚ ପକ୍ଷରୁ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ ପରିସରରେ ଆୟୋଜିତ ଏକ ନିରାଡ଼ମ୍ବର କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡା ଅଧିକାରୀ ଶଙ୍କର ପ୍ରସାଦ ଅଧିକାରୀ, ଜିଲ୍ଲା କ୍ରୀଡା ସଂସଦର ସାଧାରଣ ସମ୍ପାଦକ ଧୀରେନ୍ଦ୍ର କୁମାର ନାୟକ, ଉପସଭାପତି ସତ୍ୟନାରାୟଣ ମିଶ୍ର, ସାମ୍ବାଦିକ ସିଦ୍ଧାର୍ଥ ଗୁରୁ, ପ୍ରଦୀପ କୁମାର ଛତ୍ରିଆଙ୍କ ସମେତ କ୍ରୀଡା ସଂସଦର ବହୁ ସଦସ୍ୟ ମହାନ କ୍ରୀଡ଼ାବିତ ଧ୍ୟାନଚନ୍ଦଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ ଧ୍ୟାନଚନ୍ଦଙ୍କ ଜୀବନୀ ଏବଂ ଜାତୀୟ କ୍ରୀଡା ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।

ସକାଳୁ ଓଡିଶା ପ୍ରାନ୍ତୀୟ ମାରୱାଡି ଯୁବାମଞ୍ଚ ଦେବଗଡ଼ ଶାଖା ପକ୍ଷରୁ ପ୍ରଧାନପାଟ ସାଇ ମନ୍ଦିର ସମ୍ମୁଖରୁ ଏକ ସାଇକ୍ଲୋଥନର ଆୟୋଜନ କରାଯାଇଥିଲା। ମଞ୍ଚର ସଭାପତି ମନୀଷ ଅଗ୍ରୱାଲଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ଶଙ୍କର ପ୍ରସାଦ ଅଧିକାରୀ ପତାକା ଦେଖାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସାଇକ୍ଲୋଥନରେ ଅଂଶ ଗ୍ରହଣ ପାଇଁ ଯୁବ ବର୍ଗ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ୧୦ କିମି ସାଇକ୍ଲୋଥନରେ ଅଂଶ ଗ୍ରହଣ କାରି କୃତୀ ପ୍ରତିଯୋଗୀଙ୍କୁ ମଞ୍ଚ ପକ୍ଷରୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଆୟୋଜନରେ ମାରୱାଡି ଯୁବା ମଞ୍ଚର ସମ୍ପାଦକ ଚନ୍ଦନ ମିତ୍ତଲ, କୋଷାଧକ୍ଷ ପ୍ରକାଶ ଅଗ୍ରୱାଲ, ସଦସ୍ୟ ଜିତେନ୍ ଅଗ୍ରୱାଲ, ବିବେକ ଗୋଏଲ, ବିକାଶ ଅଗ୍ରୱାଲ,ଅମନ ଗୋଏଲ ଓ ବିକାଶ ମିତ୍ତଲ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।