ବାଇକରେ ଯାଉଥିବା ସମୟରେ ଖସିପଡ଼ିଲେ ବ୍ରିଜ ତଳକୁ, ଚାଲିଗଲା ଚାଳକର ଜୀବନ

ଖପ୍ରାଖୋଲ,ଏନ୍ଏନ୍ଏସ: ବଲାଙ୍ଗିର ଜିଲ୍ଳା ଅର୍ନ୍ତଗତ ଖପ୍ରାଖୋଲ ଥାନା ଅଧୀନରେ ଥିବା ତେଲେନପାଲି ଓ ଯମୁନାପାଲି ମଝିରେ ଏକ ପୋଲ ତଳକୁ ବାଇକ ଖସିପଡ଼ିଛି। ଫଳରେ ବାଇକ ଚାଳକର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପାଇଥିବା ସୂଚନା ଅନୁଯାୟୀ ଖୁରିପାଣି ଗ୍ରାମର ଧୁବଲେ ମାଝୀଙ୍କ ପୁଅ ଅଚ୍ୟୁତ ମାଝୀ (୨୪) ଶନିବାର ଦିନ ସନ୍ଧ୍ୟା ୭ଟା ସମୟରେ ତେଲେନପାଲି ଗାଁ’ରୁ ନିଜ ସ୍ତ୍ରୀକୁ ଦେଖାକରି ଫେରୁଥିଲା। ବାଟରେ ଯମୁନାପାଲି ଗାଁ’ ନିକଟରେ ଥିବା ଏକ ଛୋଟିଆ ବ୍ରିଜ ଦେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ବାଇକ ସହ ନିଜେ ପୋଲ ତଳକୁ ଖସିପଡ଼ିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଘଟଣାଟି ରାତି ସମୟରେ ହୋଇଥିବାରୁ ଅଖପାଖ ଅଞ୍ଚଳର ଲୋକମାନେ ଜାଣିପାରିନଥିଲେ।

ସକାଳ ହେବା ପରେ ସ୍ଥାନୀୟ ଲୋକମାନେ ନାଳପାଖରେ ଅଚ୍ୟୁତର ମୃତ ଦେହ ପଡ଼ିଥିବା ଦେଖି ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକଙ୍କ କହିବା ଅନୁଯାୟୀ ଅଚ୍ୟୁତ ଗତ ୬ ମାସ ତଳେ ଚଚରାଭଟା ଗ୍ରାମରେ ବିବାହ କରିଥିଲେ। ତାଙ୍କ ସ୍ତ୍ରୀ ତେଲେନପାଲି ଗ୍ରାମର ନିଜର ଏକ ସର୍ମ୍ପକୀୟଙ୍କ ଘରକୁ ଯାଇଥିବା ବେଳେ ତାଙ୍କୁ ଦେଖା କରିବା ପାଇଁ ଅଚ୍ୟୁତ ଯାଇଥିଲା। ସେଠାରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଖବରପାଇ ଖପ୍ରାଖୋଲ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତି।