ବ୍ୟାପକ ହେଉଛି ମିଶନ ଶକ୍ତି କାର୍ଯ୍ୟ; ୬୭୫୮ ଗୃହ ନିର୍ମାଣ ପାଇଁ ୩୧୭ କୋଟି ମଞ୍ଜୁର

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଦିନକୁ ଦିନ ମିଶନ ଶକ୍ତିର କାର୍ଯ୍ୟ ବ୍ୟାପକ ହେଉଛି। ଗୋଟିଏ ଛାତତଳେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ବା ଏସ୍‌ଏସଜିଙ୍କ ସାମୂହିକ କାର୍ଯ୍ୟକ୍ରମ କରିବାର ଯୋଜନା ହୋଇଥିଲା ତାହା ସଫଳ ହେବାକୁ ବସିଛି। ସେଥିପାଇଁ ପଞ୍ଚାୟତ ସ୍ତରରେ ମିଶନ ଶକ୍ତି ଗୃହ ନିର୍ମାଣ କରାଯାଉଛି। ବର୍ତ୍ତମାନ ସୁଦ୍ଧା ୬୭୫୮ ଗୃହ ନିର୍ମାଣ ନିମନ୍ତେ ୩୧୭ କୋଟିର ମଞ୍ଜୁର ହୋଇଛି।

ଶନିବାର ମିଶନ ଶକ୍ତି ବିଭାଗ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟରେ ପ୍ରାୟ ୬ ଲକ୍ଷରୁ ଉର୍ଦ୍ଧ୍ୱ ଏସ୍‌ଏଚ୍‌ଜି ଗୋଷ୍ଠୀ ମଧ୍ୟରେ ୭୦ ଲକ୍ଷ ମହିଳା ସାମିଲ ଅଛନ୍ତି। ଏହି ଗୋଷ୍ଠୀଙ୍କ ଜରିଆରେ ସାରା ରାଜ୍ୟରେ ମିଶନ ଶକ୍ତିର ବିଭିନ୍ନ କାର୍ଯ୍ୟ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ୬୭୫୮ଟି ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ୩୧୭ କୋଟି ଟଙ୍କା ମଞ୍ଜୁର ହୋଇସାରିଛି। ରାଜ୍ୟ ସରକାର ରାଜ୍ୟର ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଏବଂ ସହରାଞ୍ଚଳର ୱାର୍ଡରେ ଏହି ଗୃହ ନିର୍ମାଣ ପାଇଁ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି। ୫ ଲକ୍ଷ ଟଙ୍କା ବ୍ୟୟରେ ଗ୍ରାମପଞ୍ଚାୟତ, ୱାର୍ଡ ସ୍ତରରେ ନିର୍ମିତ ହେବାକୁ ଥିବା ପ୍ରତି ଗୃହରେ ସମ୍ମିଳନୀ କକ୍ଷ, ବିକ୍ରୟ କେନ୍ଦ୍ର, ଶୌଚାଳୟ ଓ ପାନୀୟ ଜଳ ଆଦିର ବ୍ୟବସ୍ଥା କରାଯାଇଛି। ଗୃହ ନିର୍ମାଣ ହେବା ପରେ ଚିହ୍ନଟ ହୋଇଥିବା ନୋଡାଲ ଏସ୍‌ଏଚ୍‌ଜିଙ୍କୁ ଏହାର ପରିଚାଳନା ଭାର ଦିଆଯାଉଛି। ସ୍ଥାନୀୟ ଅଞ୍ଚଳର ସମସ୍ତ ଏସ୍‌ଏଚ୍‌ଜି ଏହି ଗୃହକୁ ଆସିବା ସହ ମିଶନ ଶକ୍ତି ସଂପର୍କିତ କାର୍ଯ୍ୟ ପାଇଁ ବ୍ୟବହାର ମଧ୍ୟ କରିପାରିବେ। ଏପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ପ୍ରାୟ ଏକ ହଜାରଟି ମିଶନ ଶକ୍ତି ଗୃହ ଏସ୍‌ଏଚ୍‌ଜିଙ୍କ ବିଭିନ୍ନ କାର୍ଯ୍ୟ ପାଇଁ ବ୍ୟବହାର କରାଯାଉଛି। ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ମହିଳାଙ୍କ ସାମୂହିକ ଓ ଦଳଗତ କାର୍ଯ୍ୟକ୍ରମ ଦିଗରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବା ସହ ଉଭୟ ସହର ଓ ଗ୍ରାମାଞ୍ଚଳର ମହିଳାଙ୍କ ସାମାଜିକ ଓ ଆର୍ଥିକ ସଶକ୍ତୀକରଣ ନିମନ୍ତେ ଏକ ପ୍ରମୁଖ ଉପାଦାନରେ ରୂପାନ୍ତରିତ ହୋଇଛି ବୋଲି ବିଭାଗ ସ୍ପଷ୍ଟ କରିଛି। ଓଡ଼ିଶା ସରକାର ଏସ୍‌ଏଚ୍‌ଜିଙ୍କ ନିମନ୍ତେ ଏହି ଉତ୍ସର୍ଗୀକୃତ ଭିତ୍ତିଭୂମି ନିର୍ମାଣ କରିଛନ୍ତି। ଫଳରେ ସେମାନଙ୍କ ବିଭିନ୍ନ ଦଳଗତ କାର୍ଯ୍ୟକଳାପ, କୌଶଳ ବିକାଶ, ବଜାର ସଂଯୋଗୀକରଣ ଏବଂ ସେମାନଙ୍କ ନିଜସ୍ୱ ବ୍ୟବହାର ପାଇଁ ତାହା ଏକ ନିର୍ଭରଯୋଗ୍ୟ ସ୍ଥାନରେ ପରିଣତ ହୋଇଛି।

ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ୍‌ର ଝରଣୀ ଗ୍ରାମ ପଞ୍ଚାୟତରେ ‘ଅଗ୍ରଗତି ଏସ୍‌ଏଚ୍‌ଜି’ ଦ୍ୱାରା ମାତ୍ର ୬ ମାସ ମଧ୍ୟରେ ୫ ଲକ୍ଷ ଟଙ୍କା ବ୍ୟୟରେ ମିଶନ ଶକ୍ତି ଗୃହ ନିର୍ମାଣ ଶେଷ ହୋଇଥିଲା। ଏହି ମିଶନ ଶକ୍ତି ଗୃହର ପରିଚାଳନା ଦାୟିତ୍ୱ ‘ପ୍ରଗତି ଏସ୍‌ଏଚ୍‌ଜି’କୁ ହସ୍ତାନ୍ତର କରାଯାଇଛି। ଏସ୍‌ଏଚ୍‌ଜିଙ୍କ ବହୁବିଧ କାର୍ଯ୍ୟକ୍ରମ ତଥା ନିୟମିତ ପ୍ରଶିକ୍ଷଣ ନିମନ୍ତେ ବିଭିନ୍ନ ଏସ୍‌ଏଚ୍‌ଜି ଏବଂ ଗ୍ରାମ ପଞ୍ଚାୟତ ସ୍ତରର ସଂଘମାନେ ଏହି ଗୃହକୁ ବ୍ୟବହାର କରୁଛନ୍ତି। ଏତଦ୍‌ବ୍ୟତୀତ ଧାନ ସଂଗ୍ରହ ନିମନ୍ତେ ଚାଷୀଙ୍କ ଅନ୍‌ଲାଇନ୍ ପଞ୍ଜୀକରଣ ଏବଂ ଅନ୍ୟାନ୍ୟ ଧାନ ସଂଗ୍ରହ ସଂପର୍କିତ କାର୍ଯ୍ୟକ୍ରମ ମଧ୍ୟ ଏହି ଗୃହରେ କରାଯାଉଛି।

ପଞ୍ଚାୟତସ୍ତରରେ ଏସ୍‌ଏଚ୍‌ଜିଙ୍କ ପାଇଁ ଏହି ଭଳି ଭିତ୍ତିଭୂମି ନିର୍ମାଣ ଓଡ଼ିଶାରେ ଏସ୍‌ଏଚ୍‌ଜି ଆନ୍ଦୋଳନକୁ ଆହୁରି କ୍ରିୟାଶୀଳ କରିପାରିଛି। ଯଥାର୍ଥରେ ଓମ୍ ମହାଲକ୍ଷ୍ମୀ ଏସ୍‌ଏଚ୍‌ଜିର ସଦସ୍ୟା କୁନିଲତା ସାମଲ କୁହନ୍ତି, ‘ନିଜ ଗାଁ ଭିତରେ ଆମମାନଙ୍କ ପାଇଁ ଏକ ସ୍ଥାନ ଯେଉଁଠି ଆମେ ବସିପାରୁଛୁ, ଦେଖା ହୋଇ ପାରୁଛୁ, ବ୍ୟବସାୟ ସମ୍ବନ୍ଧୀୟ ଯୋଜନା ଓ ରୂପରେଖ ପ୍ରସ୍ତୁତ କରିପାରୁଛୁ। ଏହା ନିଶ୍ଚିତ ଭାବେ ଅତ୍ୟନ୍ତ ଭଲ ଏବଂ ସ୍ୱାଗତଯୋଗ୍ୟ ପଦକ୍ଷେପ। ମିଶନ ଶକ୍ତି ପାଇଁ ଆମେ ଆଗକୁ ବଢ଼ିପାରିଛୁ ବୋଲି ମିଶନ ଶକ୍ତି ରିପୋର୍ଟ ଦେଇଛି। ନିଆଳି ଗ୍ରାମପଞ୍ଚାୟତ ସଦର ମହକୁମାରେ ସେହିପରି ମିଶନ ଶକ୍ତି ଗୃହରେ ସିଲେଇ ମେସିନ୍ ଚାଲିବାର ଶବ୍ଦ ତୃଣମୂଳ ସ୍ତରରେ ଗୋଟିଏ ଛାତ ତଳେ ମହିଳା କୈନ୍ଦ୍ରିକ ଉଦ୍ୟୋଗୀ ସୃଷ୍ଟିର ସଙ୍କେତ ବହନ କରୁଛି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଉଦ୍ଦେଶ୍ୟରେ ସମର୍ପିତ ଏହି ଗୃହ ଏକ ଉତ୍ସର୍ଗୀକୃତ କାର୍ଯ୍ୟସ୍ଥଳରେ ପରିଣତ ହୋଇଛି ବୋଲି ସରକାର ସ୍ପଷ୍ଟ କରିଛନ୍ତି।