ଜାତୀୟ ସିନିୟର୍ ମହିଳା ହକି: ଓଡ଼ିଶାର ହ୍ୟାଟ୍ରିକ୍ ବିଜୟ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ମଧ୍ୟପ୍ରଦେଶର ଭୋପାଳଠାରେ ହକି ଇଣ୍ଡିଆ ପକ୍ଷରୁ ଚାଲିଥିବା ଦ୍ୱାଦଶ ଜାତୀୟ ସିନିୟର୍ ମହିଳା ହକି ଚାମ୍ପିଅନ୍‌ଶିପ୍‌ରେ ହକି ଆସୋସିଏସନ୍ ଅଫ୍ ଓଡ଼ିଶା ହ୍ୟାଟ୍ରିକ୍ ବିଜୟ ଅର୍ଜନ କରିଛି। ଦଳ ଏହି ଏକତରଫା ମୁକାବିଲାରେ ୮-୦ରେ ପୁଲ୍‌-ଏଚ୍‌’ର ଅନ୍ୟତମ ଦଳ ହିମାଚଳ ପ୍ରଦେଶକୁ ପରାସ୍ତ କରି କ୍ୱାର୍ଟର୍ ଫାଇନାଲ୍ ସକାଶେ ଯୋଗ୍ୟତା ହାସଲ କରିଛି।

ଉକ୍ତ ମ୍ୟାଚ୍‌ରେ ଓଡ଼ିଶା ପକ୍ଷରୁ ଦୀପ୍ତି ଲାକ୍ରା ହ୍ୟାଟ୍ରିକ୍ ଗୋଲ୍ କରିଥିଲେ। ସେ ୩୩ ତମ, ୪୧ ତମ ଓ ୫୧ ତମ ମିନିଟ୍‌ରେ ଏହି ଗୋଲ୍‌ଗୁଡ଼ିକ ସ୍କୋର୍ କରିଥିବା ବେଳେ ରୋଜିତା କୁଜୁର ୪୬ତମ ଓ ୫୪ତମ ମିନିଟ୍‌ରେ ଡବଲ୍ ଗୋଲ୍ ଦେଇଥିଲେ। ଆହୁରି ବିମଳା ବାର୍‌ୱା ୨୨ ତମ, ଜାହ୍ନବୀ ପ୍ରଧାନ ୨୬ ତମ ଓ ପୁନମ୍ ବାର୍ଲା ୩୪ ତମ ମିନିଟ୍‌ରେ ଗୋଲ୍ ଦେଇଥିଲେ। ଲିଗ୍ ପର୍ଯ୍ୟାୟରେ ଅପରାଜେୟ ରହିଥିବା ଓଡ଼ିଶା କ୍ୱାର୍ଟର୍ ଫାଇନାଲ୍‌ରେ ଆସନ୍ତା ଶନିବାର ମଧ୍ୟପ୍ରଦେଶକୁ ଭେଟିବ।