ପାଟଣାଗଡ଼,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ପବିତ୍ର ତୀର୍ଥକ୍ଷେତ୍ର ହରିଶଙ୍କର ଠାରେ ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କୋଭିଡ କଟକଣା ପାଇଁ ଦୁଇ ବର୍ଷ ଧରି ମେଳା ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ଦେବୋତ୍ତର ବିଭାଗ ଓ ପ୍ରଶାସନ ତାରଫରୁ ପ୍ରସ୍ତୁତି ଚାଲିଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହରିଶଙ୍କର ମନ୍ଦିରର ରଙ୍ଗ କରାଯାଇଥିବା ବେଳେ ଗାଢ଼ ହଳଦିଆ ରଙ୍ଗ ଲଗାଯାଇ ଥିବାରୁ ବେଶ ସୁନ୍ଦର ଲାଗୁଛି। ସେହିପରି ମନ୍ଦିର ଚାରିପାଖ ରଙ୍ଗ କରାଯାଇଥିବା ବେଳେ ବାଡ଼ରେ ରଙ୍ଗକରୀ ମନ୍ଦିର କଥା ବସ୍ତୁ, କିମ୍ବଦନ୍ତୀ, ପୁରାଣ ତଥା ଠାକୁର ମାନଙ୍କ ଫଟୋ ଅଙ୍କାଯାଇଛି। ଚଳିତ ବର୍ଷ ଶନିବାର ଠାରୁ ସୋମବାର ଯାଏଁ ୩ ଦିନ ଧରି ମେଳା ତଥା ହରିଶଙ୍କର ମହୋତ୍ସବ ହେବାକୁ ଥିବାବେଳେ ପ୍ରଥମ ଦିନ ମନ୍ଦିର ପରିସରରେ ହୋମ ଯଜ୍ଞ ଅନୁଷ୍ଠିତ ହେବ। ସନ୍ଧ୍ୟାରେ ଦୁଇଟି ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମନୋରଞ୍ଜନ କାର୍ଯ୍ୟକ୍ରମ ହେବ।
