୨୧ରୁ ରାଜ୍ୟ ବ୍ୟାଡମିନ୍ଟନ ଚମ୍ପିଆନସିପ, ଜାତୀୟ ସ୍ତରର ଖେଳାଳି ପ୍ରସ୍ତୁତ କରିବା ଏକ ମାତ୍ର ଉଦ୍ଦେଶ୍ୟ- ଡିବିଏ

ବଲାଙ୍ଗିର,ଏନ୍‌ଏନ୍‌ଏସ୍: ସ୍ଥାନୀୟ ପିଆର୍‌ ହାଇସ୍କୁଲ ଇନଡୋର ଷ୍ଟାଡିଅମରେ ଆସନ୍ତା ୨୧ ତାରିଖରୁ ଓଡିଶା ରାଜ୍ୟ ବ୍ୟାଡମିଣ୍ଟନ ଚମ୍ପିଆନସିପ୍‌ ଅନୁଷ୍ଠିତ ହେବ। ୧୫ ଓ ୧୭ ବର୍ଷ ବର୍ଗରେ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ସାରା ରାଜ୍ୟରୁ ପ୍ରାୟ ୨୦୦ ଜଣ ପ୍ରତିଯୋଗୀ ଭାଗ ନେବେ। ବ୍ୟାଡମିଣ୍ଟନ ଖେଳରେ ଏସ୍ତରର ପ୍ରତିଯୋଗିତା ଆୟୋଜନ ପାଇଁ ବଲାଙ୍ଗିରକୁ ପ୍ରଥମ ଥର ପାଇଁ ସୁଯୋଗ ମିଳିଥିବା ବେଳେ ଏଭଳି ପ୍ରତିଯୋଗିତା ଅଞ୍ଚଳର ଖେଳାଳିମାନଙ୍କୁ ନୁତନ ଖେଳ ଶୈଳି ଶିଖାଇବା ସହ ଖେଳିବା ପାଇଁ ପ୍ରେରଣାଦାୟୀ ହେବ। ରାଜ୍ୟ ବ୍ୟାଡମିନ୍ଟନ ପାଇଁ ସହରରେ ଥିବା ନୁତନ ଇନ୍‌ଡୋର ସୁବିଧାର ସଦୁପୋଯୋଗ କରି ଏଠାରୁ ଜାତୀୟ ସ୍ତରର ଖେଳାଳି ତିଆରି କରିବା ଜିଲ୍ଲା ବ୍ୟାଡମିନ୍ଟନ ସଂଘ(ଡିବିଏ)ର ଏକ ମାତ୍ର ଉଦ୍ଦେଶ୍ୟ ବୋଲି ଆଜି ଇନଡୋର ଷ୍ଟାଡିଅମରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଂଘର ସମ୍ପାଦକ ତଥା ପ୍ରତିଯୋଗିତାର ସାଂଗଠନିକ ସମ୍ପାଦକ ସୁରୁଲାଲ ମଟାରୀ କହିଛନ୍ତି।

ପ୍ରତିଯୋଗିତା ବିଷୟରେ ସେ ଆହୁରି ସୁଚନା ଦେଇଛନ୍ତି ଯେ, ସ୍ଥାନୀୟ ଇନଡୋର ଠାରେ ମଙ୍ଗଳବାର ଦିନଠୁ ଏକ ୬ ଦିନିଆ ବୈଷୟୀକ ଅଧିକାରୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ। ଏଥିରେ ସାରା ରାଜ୍ୟରୁ ପ୍ରାୟ ୩୮ ଜଣ ଆଶାୟୀ ଅମ୍ପାୟାର ଯୋଗଦାନ କରିବେ। ପ୍ରଥମ ୩ ଦିନ ଥିଓରି କ୍ଲାସ ହେବା ପରେ ଦ୍ୱିତୀୟ ପର୍ଯ୍ୟାୟରେ ୩ ଦିନ ସେମାନେ ପ୍ରତିଯୋଗିତାରେ ପ୍ରାକ୍ଟିକାଲ କରିବେ। ବିଶ୍ୱ ବ୍ୟାଡମିଣ୍ଟନ ଫେଡ୍‌ରେସନ ଅମ୍ପାୟାର ଉଦୟ ସାନେ ଓ ଶୈଳେଶ କୁଲକର୍ଣ୍ଣୀ ଏମାନଙ୍କୁ ତାଲିମ ଦେବେ। ୩ ଧରି ଏହି ଶିବର ହେବା ପରେ ୨୧ ତାରିଖ ସକାଳୁ ୧୫ ଓ ୧୭ ବର୍ଷ ବର୍ଗର ରାଜ୍ୟ ପ୍ରତିଯୋଗିତା ଆରମ୍ଭ ହେବ। ଉଭୟ ବର୍ଗରେ ଏକକ, ଯୁଗଳ ଓ ମିଶ୍ରିତ ଯୁଗଳ ପ୍ରତିଯୋଗିତାରେ ସାରା ରାଜ୍ୟରୁ ପ୍ରାୟ ୨୦୦ ପ୍ରତିଯୋଗୀ ଭାଗ ନେବେ। ରାଜ୍ୟ ସମ୍ପାଦକ ନୀଲିନ କୁମାର, ଚିଫ୍‌ ରେଫରି ରିତା ଦାଶ, ଖେଳ ପରିଚାଳକ ବିଜୟ ବାଗ, କୋର୍ଟ ଅଫିସିଆଲ ଚେୟାରମ୍ୟାନ୍‌ ମନୋରଞ୍ଜନ ଦାଶ ଓ ଟିଓ କୋଡିନେଟର ଲକ୍ଷପତି ନନ୍ଦ ୩ ଦିନ ଧରି ପ୍ରତିଯୋଗିତା ପରିଚାଳନା କରିବେ।

୨୩ ତାରିଖ ଦିନ କୃତି ପ୍ରତିଯୋଗୀମାନଙ୍କୁ ସମ୍ମାନିତ କରାଯିବା ସହ ରାଜ୍ୟର ସମସ୍ତ ବୈଷୟୀକ ଅଧିକାରୀମାନଙ୍କୁ କିଟ୍‌ ପ୍ରଦାନ କରାଯିବ ବୋଲି ଶ୍ରୀ ମଟାରୀ ସୂଚନା ଦେଇଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ପବିତ୍ର ବେହେରା, ଉପସଭାପତି ଘନଶ୍ୟାମ ମିଶ୍ର, ଜିଲ୍ଲା କୋର୍ଡିନେଟର ଆଦିତ୍ୟ କେଜରିୱାଲ, ମ୍ୟାଚ୍‌ କୋର୍ଡିନେଟର ସୁରେନ୍ଦ୍ର ନେପାଲ ମଞ୍ଚାସୀନ ଥିବାବେଳେ ବୈଷୟିକ ଅଧିକାରୀ ଅନନ୍ତ ବେହେରା, ମାନସ ମହାନ୍ତି, ଆଶିଷ ଉପାଧ୍ୟାୟ, ରାଜକିଶୋର ଶତପଥୀ, ଜିଲ୍ଲା ସଭ୍ୟ ବିରେନ୍ଦ୍ର ମିଶ୍ର, ଝୁଲୁ ପଟ୍ଟନାୟକ, କବିଚନ୍ଦ୍ର ଠାକୁର, ସୁନୀଲ ବେହେରା, ପ୍ରକାଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।