ଶିଶୁ ବିକାଶ କେନ୍ଦ୍ର ବଲାଙ୍ଗିରର ୩୮ ତମ ପ୍ରତିଷ୍ଠା ଦିବସ ପାଳିତ

ବଲାଙ୍ଗିର,ଏନ୍‌ଏନ୍‌ଏସ୍‌: ସ୍ଥାନୀୟ ପିପି ଏକାଡେମୀ ସଭାକକ୍ଷରେ ଶିଶୁ ବିକାଶ କେନ୍ଦ୍ର ବଲାଙ୍ଗିରର ୩୮ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ମଦନ ମୋହନ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ଯୋଗଦେଇ ଶିଶୁମାନଙ୍କୁ ଉତ୍ସାହିତ କରିବା ସହିତ ସ୍କୁଲ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ସଭା ଆରମ୍ଭରେ ପୂଜା ଆରାଧନା ମିଶ୍ରଙ୍କ ପରିଚାଳନାରେ ଅନୁଷ୍ଠିତ କୁଇଜ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଶିଶୁମାନଙ୍କ ଭିତରେ ଆଗ୍ରହ ପରିଲକ୍ଷିତ ହୋଇଥିଲା। ବକ୍ତୃତା ପ୍ରତିଯୋଗିତାରେ ବିଚାରକ ଭାବରେ ଆଇନଜୀବୀ ଶୁଭ୍ରାଂଶୁ ଶେଖର ପଣ୍ଡା, ଶିକ୍ଷୟିତ୍ରୀ ଜ୍ୟୋତିରାଣୀ ମିଶ୍ର ଓ ଅବସରପ୍ରାପ୍ତ ଶିକ୍ଷକ କପିଳ ପତି ରହିଥିବା ବେଳେ ଅହ୍ୱାନ କୁମାର ଦାଶ, ଓମ୍ ଅମୃତ ମହାନ୍ତି ଓ କ୍ରିଷ୍ଣାରାଜ ରଥ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ।

ଚିତ୍ରାଙ୍କନରେ ଦିଲ୍ଲୀପ କୁମାର ସିଂଦେଓ ବିଚାରକ ଥିବାବେଳେ ଦିବ୍ୟାଂଶି ମହାନ୍ତି ପ୍ରଥମ, ସାଇ ଶୁଭେଚ୍ଛା ଦାଶ ଦ୍ୱିତୀୟ ଓ ଯାସ୍ମୀନ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସଂଗୀତରେ ଧିରେନ୍ଦ୍ର ନାରାୟଣ ସିଂଦେଓ ଏବଂ ହୃଷୀକେଶ ପୁରୋହିତ ବିଚାରକ ଥିବା ବେଳେ ଓମ୍ ପ୍ରକାଶ ସାହୁ ପ୍ରଥମ, ଶୃତିଶିଖା ପାଢୀ ଦ୍ୱିତୀୟ ଏବଂ ଆରୋଶ୍ମିତା ଦେବୀ ବେହେରା ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏହି ଅବସରରେ ଆଦର୍ଶ ଶିକ୍ଷକ ଗିରିଜା ଶଙ୍କର ରଥଙ୍କୁ ସମ୍ମାନୀତ କରାଯାଇଥିଲା।

ଅନୁଷ୍ଠାନର ଉପଦେଷ୍ଟା ଜଗଦାନନ୍ଦ ଛୁରିଆ, ସତ୍ୟବନ୍ତ ବେଦବାକ୍‌, ଜୟରାମ ମିଶ୍ର ମଞ୍ଚାସୀନ ରହି ଶିଶୁମାନେ ସବୁବେଳେ ସବୁ ସ୍ଥାନରେ ଜ୍ଞାନ ଆହରଣ ଓ ଶିଖିବାର ଆଗ୍ରହ ମନ ଭିତରେ ରଖିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ। ସଭା ପରିଚାଳନା କରିଥିଲେ ଅନୁଷ୍ଠାନର ସମ୍ପାଦକ ରତ୍ନମୟ ତ୍ରିପାଠୀ, କାର୍ଯ୍ୟକ୍ରମକୁ ସଫଳ କରିବାରେ ଚୁଡେନ୍ଦ୍ର ବେହେରା, ମଧୁସୁଦନ ନେଗୀ, ଅନନ୍ତ ବିଶ୍ୱାଳ, ଦୁର୍ଗା ସାହୁ, ମଧୁ ସାହୁ, ଅରୁଣ ଖୁଆସ, ପ୍ରଦୀପ ପଶାୟତ, ପ୍ରଶାନ୍ତ ଷଡ଼ଙ୍ଗୀ ସହଯୋଗ କରିଥିଲେ। ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ଅନୁଷ୍ଠାନର ଉପସଭାପତି ସୁନାଧନ ବନଛୋର। ଏହି କାର୍ଯ୍ୟକ୍ରମରେ ସହରର ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଓ ଶିଶୁପ୍ରେମୀ ଯୋଗଦେଇଥିଲେ।