୬ ମାସରେ ୪୯ ନମ୍ବର ଜାତୀୟ ରାଜପଥରେ ଗଡ଼ିଲାଣି ୧୫ରୁ ଊର୍ଦ୍ଧ ମୁଣ୍ଡ

ପାଟଣା, ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରି ଠାରୁ ତୁରୁମୁଙ୍ଗା ପର୍ଯ୍ୟନ୍ତ ରାସ୍ତାରେ ଦୁର୍ଘଟଣାରେ ୬ ମାସ ମଧ୍ୟରେ ପ୍ରାୟ ୧୫ ରୁ ଊର୍ଦ୍ଧ ମୁଣ୍ଡ ଗଡ଼ିଲାଣି। ରାଜପଥ ସମ୍ପ୍ରସାରଣ କାର୍ଯ୍ୟ କରୁଥିବା ମୋଣ୍ଟେକାର୍ଲୋକମ୍ପାନୀର ଦାୟିତ୍ୱହୀନତା ଯୋଗୁଁ ରାଜପଥରେ ଏପରି  ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି। ଗତ ସୋମବାର ରାତିରେ ଝାରବେଡା ଛକ ନିକଟରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ହେବାଫଳରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତ ବାଇକ ଆରୋହୀ ହେଲେ ତୁରୁମୁଙ୍ଗା ଥାନା ବୁଢ଼ୀକାପୁଡି ଗ୍ରାମର ଅଭିଜିତ ମହାନ୍ତ। ଅଭିଜିତ କେନ୍ଦୁଝରରୁ ନିଜ ଘରକୁ ଫେରୁଥିବା ବେଳେ ଝାରବେଡା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ତେବେ ୪୯ ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ଚାଲୁଥିବା ବେଳେ ରାସ୍ତା ନିର୍ମାଣରେ ବ୍ୟାପକ ତ୍ରୁଟି ଓ ରାସ୍ତା କଡରେ ମାଟି ଓ ମେଣ୍ଟାଲ ଗଦା କରି ରଖିଥିବରୁ ଏପରି ବାରମ୍ବାର ଦୁର୍ଘଟଣା ଘଟି ଅନେକ ଜୀବନ ହାନି ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ମୋଣ୍ଟେକାର୍ଲୋ କତ୍ତୃପକ୍ଷଙ୍କୁ ବାରମ୍ବାର ଯୋଗାଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ। ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ହେଉଛି।