ଏଏନଏମ ପଦବୀରେ ନିଯୁକ୍ତି ଦାବିରେ ଜାତୀୟ ରାଜପଥ ଅବରୋଧ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲାରେ କୋଭିଡ ୧୯- ପାଇଁ ଏଏନଏମ ପଦବୀ ପୂରଣ ଦାବିରେ ଆଜି ଜିଲ୍ଲା ନର୍ସିଂ ସଙ୍ଘ ପକ୍ଷରୁ ୪୯ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଛି। ସୂଚନା ଅନୁଯାୟୀ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାରେ ଏଏନଏମ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିରେ ଜିଲ୍ଲାର ବହୁ ପ୍ରାର୍ଥୀ ଆବେଦନ କରିଥିଲେ। ମାତ୍ର ଦୀର୍ଘ ମାସ ପରେ ମଧ୍ୟ ଏହି ପଦବୀରେ କୌଣସି ନିଯୁକ୍ତି ଦିଆଯାଇ ନାହିଁ। ଏନେଇ ଜିଲ୍ଲାର ପ୍ରାର୍ଥୀମାନଙ୍କୁ ଶୀଘ୍ର ନିଯୁକ୍ତି ପ୍ରଦାନ ପାଇଁ ନର୍ସିଂ ସଙ୍ଘ ପକ୍ଷରୁ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀ ଙ୍କ ସମେତ ବିଧାୟକ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ସଂଘ ପକ୍ଷରୁ ଗତ ସୋମବାର ଦିନ ପୁଣି ଥରେ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହାସହ ବୁଧବାର ସୁଦ୍ଧା ସେମାନଙ୍କ ଦାବିପୂରଣ କରା ନଗଲେ ଆନ୍ଦୋଳନ ପାଇଁ ଲିଖିତ ଚେତାବନୀ ଦେଇଥିଲେ। ପୂର୍ବ ନିର୍ଧର୍ରିତ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ପୂର୍ବାହ୍ନରେ ନର୍ସିଂ ସଙ୍ଘର ବହୁ ସଦସ୍ୟା ସ୍ଥାନୀୟ ଗଣେଶ ଛକ ଠାରେ ବିଭିନ୍ନ ସ୍ଲୋଗାନ ସହ ପ୍ଲା କାର୍ଡ ଧରି ୪୯ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ସୂଚନା ପାଇ ଡେପୁଟି କଲେକ୍ଟର ଯଶୋବନ୍ତ ଦେହୁରୀ ଘଟଣାସ୍ଥଳରେ ପହଞ୍ଚି ନର୍ସିଂ ସଙ୍ଘ ସଦସ୍ୟାଙ୍କ ସହ ଆଲୋଚନା କରି ସେମାନଙ୍କ ଦାବୀପୂରଣ ପାଇଁ ପ୍ରତିଶ୍ରୁତି ଦେବାସହ ଦେବଗଡ଼ ଥାନା ଅଧିକାରୀ ପ୍ରଶାନ୍ତ କୁମାର ପାତ୍ର ସଙ୍ଘ ସଦସ୍ୟାଙ୍କୁ ବୁଝାସୁଝା କରିବାପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା ।