ଦିଲ୍ଲୀରେ ୧୪ଟି ଘରୋଇ ହସ୍ପିଟାଲ ଯୋଗାଇବ ୩୫୫୩ କୋଭିଡ-୧୯ ଶଯ୍ୟା

ନୂଆଦିଲ୍ଲୀ,ଏଜେନ୍ସି: ଜାତୀୟ ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀର ୧୪ଟି ଘରୋଇ ହସ୍ପିଟାଲରେ ୩୫୫୩ଟି ଶଯ୍ୟାର ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ହୋଇଛି। ଏହି ହସ୍ପିଟାଲଗୁଡ଼ିକ ମଧ୍ୟରୁ ଅତିରିକ୍ତ ଶଯ୍ୟାର ବ୍ୟବସ୍ଥା କରାଯିବ। ଏହି ଅତିରିକ୍ତ ଶଯ୍ୟାରେ ଅଣକୋଭିଡ ରୋଗୀଙ୍କର ଚିକିତ୍ସା କରାଯିବ। ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଅଧ୍ୟକ୍ଷତାରେ କୋଭିଡ-୧୯ ରୋଗୀ ଏବଂ ଦିଲ୍ଲୀରେ କରୋନା ସ୍ଥିତି ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ହସ୍ପିଟାଲ ଗୁଡ଼ିକରେ ଶଯ୍ୟା ସଂଖ୍ୟା ୩୫ ପ୍ରତିଶତ ବୃଦ୍ଧି କରାଯିବ। ସୂଚନାଯୋଗ୍ୟ ଯେ, ନିକଟରେ ଏହି ୧୪ଟି ହସ୍ପିଟାଲକୁ ସଂପୂର୍ଣ୍ଣ ରୂପେ କୋଭିଡ ହସ୍ପିଟାଲ ଘୋଷଣା କରାଯାଇଥିଲା।

ଦିଲ୍ଲୀର ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ବୁଧବାର କହିଛନ୍ତି ଯେ, ଦିଲ୍ଲୀରେ କୋଭିଡ-୧୯ ସଂକ୍ରମଣ ନିୟନ୍ତ୍ରଣରେ ନାହିଁ। ମହାମାରୀର ପ୍ରକୋପ ଥମିବାର ନାଁ ନେଉନାହିଁ। ତେବେ ସଂକ୍ରମଣରୁ ନିସ୍ତାର ପାଇବା ଲାଗି ଲୋକେ ଆବଶ୍ୟକ ନଥିଲେ ବାହାରକୁ ନଯାଆନ୍ତୁ, ସଭାରେ ଯୋଗ ଦିଅନ୍ତୁ ନାହିଁ. ମାସ୍କ ପିନ୍ଧିବା ଏବଂ କୋଭିଡ-୧୯ର ମାର୍ଗଦର୍ଶିକା ପାଳନ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହି ମଧ୍ୟରେ ଆଜି ପୂର୍ବାହ୍ନରେ ଦିଲ୍ଲୀ ଉପରାଜ୍ୟପାଳଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବୈଠକ ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଏବଂ ବରିଷ୍ଠ ଅଧିକାରୀମାନେ କରୋନାର ବର୍ତ୍ତମାନ ସ୍ଥିତି ଉପରେ ବୈଠକ କରିବେ।