ରାଲିରେ କରୋନା ନିୟମ ଉଲ୍ଲଂଘନ ଅଭିଯୋଗ, ନିର୍ବାଚନ କମିସନ’ର ସର୍ବଦଳୀୟ ବୈଠକ

କୋଲକାତା,ଏଜେନ୍ସି: ପଶ୍ଚିମବଙ୍ଗରେ ଜାରି ଥିବା ବିଧାନସଭା ନିର୍ବାଚନ ମଧ୍ୟରେ କରୋନା ଭାଇରସ ସଂକ୍ରମଣ ଲଗାତାର ବଢ଼ିଚାଲିଛି। ଏହି ମଧ୍ୟରେ ନିର୍ବାଚନୀ ରାଲିରେ କୋଭିଡ ନିୟମ ଉଲ୍ଲଂଘନ ହେଉଥିବା ଅଭିଯୋଗ ହୋଇଛି। ଏନେଇ ନିର୍ବାଚନ କମିସନ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ପଶ୍ଚିମବଙ୍ଗର ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସଂଜୟ ବସୁ କହିଛନ୍ତି ଯେ, ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ କରୋନା ଭାଇରସ ସଂକ୍ରମଣ ବଢ଼ିଚାଲିଥିବା ବେଳେ ନିର୍ବାଚନ ପ୍ରଚାରକୁ ନେଇ ଏହି ବୈଠକ ଡକାଇଛନ୍ତି।

ବୈଠକରେ ଆଲୋଚନା କରାଯିବ ଯେ, କରୋନା ସମୟରେ କିଭଳି ନିର୍ବାଚନ ପ୍ରଚାର କରାଯାଇପାରିବ। ବୈଠକରେ ଭର୍ଚୁଆଲ ପ୍ରଚାର ଉପରେ ମଧ୍ୟ ଆଲୋଚନା ହୋଇପାରେ।

ଅଭିଯୋଗ ଅନୁସାରେ କରୋନା ନିୟମକୁ ନିର୍ବାଚନ ପ୍ରଚାର ସମୟରେ ଗୁରୁତ୍ୱ ଦିଆଯାଉ ନାହିଁ। ଏହାକୁ ଦୃଷ୍ଟିରେ ରଖି କୋଲକାତା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, କରୋନା ଭାଇରସ ସଂକ୍ରମଣ ବଢ଼ିଚାଲିଥିବାରୁ ବିଧାନସଭା ନିର୍ବାଚନ ଲାଗି ରାଜନୈତିକ ଦଳର ପ୍ରଚାରରେ ସମସ୍ତ କୋଭିଡ ନିୟମର ପାଳନ ହେବା ଦରକାର।