ବଲାଙ୍ଗିର,ଏନ୍ଏନ୍ଏସ୍: ଗତ ୭ ବର୍ଷ ହେବ ଭୀମଡୁଙ୍ଗୁରି ପର୍ଯ୍ୟଟନ ସ୍ଥଳର ବିକାଶ ପାଇଁ ପ୍ରଚେଷ୍ଟା ଚାଲିଛି। ଯଦିଓ ଏହି ପ୍ରକଳ୍ପକୁ ପୂର୍ଣ୍ଣାଙ୍ଗ କରିବା ପାଇଁ ଆହୁରି କିଛି ସମୟ ଲାଗିବ। ତା ସତ୍ତ୍ୱେ ମଧ୍ୟ ଯେତେ ଅନୁଦାନ ଆସିଛି ସେହି ରାଶିକୁ ନେଇ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ଏଠାକାର ବିରଳ ଗୁମ୍ଫାକୁ ପାହାଚ, ସୁରକ୍ଷା ବାଡ, ଯାତ୍ରୀ ନିବାସ, ଶୌଚାଳୟ, ଶିଶୁ ଉଦ୍ୟାନ ଏବଂ ଏଠାରେ ଥିବା ଭୀମକଟାର ବିକାଶ ସାଙ୍ଗକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଆଜି ନୌକାବିହାର ପ୍ରକଳ୍ପର ଉଦ୍ଘାଟନ କରାଯାଇଛି। ଆଶା ପର୍ଯ୍ୟଟନ ସହିତ ଏହି ଯୋଜନା ଏଠିକାର ଜନସାଧାରଣଙ୍କ ପାଇଁ ତାଙ୍କର ଆର୍ଥିକ ବିକାଶରେ ନିଶ୍ଚିତ ଭାବରେ ସହାୟକ ହେବ ବୋଲି ଆଜି ଦେଓଗାଁ ବ୍ଲକ୍ ମୁକୁନ୍ଦପୁର ଗ୍ରାମ ପଞ୍ଚାୟତସ୍ଥିତ ଭୀମଡୁଙ୍ଗୁରି ପର୍ଯ୍ୟଟନସ୍ଥଳୀ ଭୀମକଟାରେ ନୌକାବିହାର ପ୍ରକଳ୍ପର ଶୁଭ ଉଦ୍ଘାଟନ ଅବସରରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କହିଛନ୍ତି।
ଆଜି ପୂର୍ବାହ୍ଣ ୧୦ଟା ସମୟରେ ବିଧାୟକ ଶ୍ରୀ ମିଶ୍ର ନୌକାବିହାର ପ୍ରକଳ୍ପର ଉଦ୍ଘାଟନ କରିଥିଲେ। ଏହି ଉଦ୍ଘାଟନୀ ଊତ୍ସବରେ ବଲାଙ୍ଗୀର ବନଖଣ୍ଡ ଅଧିକାରୀ ଶ୍ରୀ ନିତିଶ କୁମାର ଓ ଦେଓଗାଁ ବ୍ଳକ୍ ଉପାଧ୍ୟକ୍ଷା ସୂର୍ଯ୍ୟକାନ୍ତ ଛତ୍ରିଆ ଉପସ୍ଥିତ ଥିଲେ। ବିଧାୟକ ଶ୍ରୀ ମିଶ୍ର ନାରିକେଳ ଭାଙ୍ଗି ନୌକାବିହାର ପ୍ରକଳ୍ପ ଉଦ୍ଘାଟନ କରିବା ପରେ ଡିଏଫ୍ଓ ନିତିଶ କୁମାରଙ୍କ ସହ ଭୀମକଟାରେ ନୌବିହାର କରିଥିଲେ। ଏହି ପ୍ରକଳ୍ପ ଆରମ୍ଭ ହୋଇଥିବାରୁ ଏହା ପର୍ଯ୍ୟଟକଙ୍କୁ ବହୁ ମାତ୍ରାରେ ଆକୃଷ୍ଟ କରିବ ଏବଂ ଏହା ଏହି ଅଞ୍ଚଳର ଆର୍ଥିକ ବିକାଶରେ ସହାୟକ ହେବ ବୋଲି ସେ କହିଥିଲେ। ଏହି ପାହାଡରେ ୬୨ଟି ପ୍ରାକୃତିକ ଗୁମ୍ଫା ରହିଛି। ଏହି ଗୁମ୍ଫା ସହ ଘଞ୍ଚ ଜଙ୍ଗଲ, ବନ୍ୟ ସମ୍ପଦ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି। ବର୍ତ୍ତମାନ ପର୍ଯ୍ୟନ୍ତ ଗୋଟିଏ ଗୁମ୍ଫାକୁ ରାସ୍ତା ତିଆରି ସରିଛି। ଆଗକୁ ଅନ୍ୟସବୁ ଗୁମ୍ଫାକୁ ରାସ୍ତା ତିଆରି ହେବ। ଏଠାରେ ଆଗକୁ ଏକ ଡିଅର ପାର୍କ ପ୍ରତିଷ୍ଠା ହେବ। ଏନେଇ କେନ୍ଦ୍ରୀୟ ଅନୁମତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଜଳାଶୟର ଜଳଧାରଣ କ୍ଷମତା ବୃଦ୍ଧି ସକାଶେ ପଦକ୍ଷେପ ଗ୍ରହଣ କରାଯିବାକୁ ବିଧାୟକ ଶ୍ରୀ ମିଶ୍ର ଡିଏଫ୍ଓଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଖୁବ୍ ଶୀଘ୍ର ଜଳଧାରଣା କ୍ଷମତା ବୃଦ୍ଧି କରିବା ପାଇଁ ପଦକ୍ଷେପ ନେବେ ବୋଲି ଡିଏଫ୍ଓ ଶ୍ରୀ କୁମାର ପ୍ରତିଶ୍ରୁତି ଦେଇଥିଲେ। ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବନାଞ୍ଚଳ ଅଧିକାରୀ କେଶବ କିଶୋର ନାୟକଙ୍କ ସହ ଫରେଷ୍ଟର, ଫରେଷ୍ଟ ଗାର୍ଡ, ପାରା ଗାର୍ଡ ତଥା ସମସ୍ତ ୱାଇଲ୍ଡ ଲାଇଫ୍ ସ୍କ୍ୱାର୍ଡ ଉପସ୍ଥିତ ଥିଲେ। ଏହି ଉଦ୍ଘାଟନ ସମାରୋହକୁ ସଫଳ କରିବା ପାଇଁ ଦେଓଗାଁ ବ୍ଳକ୍ ସ୍ଥିତ ମହଲେଇ, ଜରାସିଂହା, ହାତୀସରା, କୁତୁର୍ଲା, ବନ୍ଧପଡା, ଦେଷଣ୍ଢ, ସିଂହାମୁଣ୍ଡା, ଡୁମ୍ବେରପିଟା ପଞ୍ଚାୟତର ସମିତି ସଭ୍ୟ, ଜମିଦାର ଦୁର୍ଗା ସିଂଦେଓ, ରାମଜୀ ଚୌଧୁରୀ, କାନ୍ତେଶ୍ୱର ପ୍ରଧାନ, ପପୁ ପାତ୍ର, ଅସିତ ମିଶ୍ର, ଅନ୍ତ ବେହେରା, ମୟ ପ୍ରଧାନୀ ଓ ଜନସାଧାରଣ ଉପସ୍ଥିତ ଥିଲେ।