ନାଗାର୍ଜୁନ ବେଶ ପ୍ରସ୍ତୁତି ବୈଠକ

ପୁରୀ,ଏନ୍ଏନ୍ଏସ୍: ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ ପ୍ରସ୍ତୁତି ଲାଗି ଆଜି ଶ୍ରମନ୍ଦିର ପ୍ରଶାସନ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଅନୁ‌ଷ୍ଠିତ ହୋଇଯାଇଛି। ବେଶର ଅଗ୍ରଗତି ଓ ଏହା କିଭଳି ସୁରକ୍ଷିତ ଶ୍ରୀମନ୍ଦିରରେ ପହଞ୍ଚିବ ତାହା ଉପରେ ଗୁରୁତ୍ବ ଦିଆଯାଇଛି। ବଡ଼କଥା ହେଉଛି, କରୋନା କଟକଣା ଭିତରେ ଭକ୍ତମାନେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଦେଖି ନ ପାରିଲେ ବି ପତିତପାବନକୁ ନାଗାର୍ଜୁନ ବେଶରେ ଦର୍ଶନ କରିବାର ଆଶା ସଂଚାର ହୋଇଛି ।

ଚଳିତ ବର୍ଷ ପଞ୍ଚୁକ ୬ ଦିନ ପଡ଼ୁଥିବାବେଳେ କିଭଳି ନୀତିକାନ୍ତି ସୁରୁଖୁରରେ ‌ଶେଷ ହେବ ସେ ଉପରେ ଆଲୋଚନା ହୋଇଛି। ନାଗାର୍ଜୁନ ବେଶର ନୀର୍ଘଣ୍ଟ ନୀତି ଅନୁଯାୟୀ ୨୬ ତାରିଖ ରାତି ୧୨ଟାରେ ପହୁଡ଼ ପରେ ସେହିଦିନ ୨୭ ତାରିଖ ନାଗାର୍ଜୁନ ବେଶର ନୀତିକାନ୍ତି ଆରମ୍ଭ ହେବ। ୨୬ ତାରିଖ ରାତି ୨ଟାରେ ଦ୍ବାରଫିଟା ନୀତି ପରେ ଅନ୍ୟାନ୍ୟ ନୀତି ଚାଲିବ। ଭୋର ୪ଟାରେ ନାଗାର୍ଜୁନ ବେଶ ଲାଗି ନୀତି ଆରମ୍ଭ ହେବ। ସକାଳ ୭ଟା ସୁଦ୍ଧା ବେଶ ଲାଗି ଶେଷ ହେବ। ଅପରାହ୍ଣ ୩ଟାରେ ବେଶ ଓଲାଗି ହେବ।

ଅନ୍ୟପଟେ ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ ଓଲାଗି ପରେ ଦୂର ଦୂରାନ୍ତରୁ ଆସୁଥିବା ଭକ୍ତମାନଙ୍କ ଦର୍ଶନ ଉଦ୍ଦେଶ୍ୟରେ ଏହି ବେଶକୁ ମ୍ୟୁଜିୟମରେ ରଖାଯାଉ ବୋଲି ବେଶ ପ୍ରଦାନକାରୀ ସେବାୟତମାନେ ଦାବି କରିଛନ୍ତି।