ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର କୋଭିଡ ହସ୍ପିଟାଲରୁ ଜଣେ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ କେଉଁଆଡ଼େ ଫେରାର ହୋଇଯାଇଛନ୍ତି। ଏନେଇ ନବରଙ୍ଗପୁର ଥାନାରେ କୋଭିଡ ହସ୍ପିଟାଲର ସୁପରିଟେଣ୍ଡେଣ୍ଟ ଡା. ସନ୍ତୋଷ କୁମାର ନାଗ ଅଭିଯୋଗ କରିଛନ୍ତି। ମିଳିଥିବା ରିପୋର୍ଟ ମୁତାବକ, ଗତ ୩ ତାରିଖରେ ଝରିଗାଁ ଅଞ୍ଚଳରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ତାଙ୍କୁ ନବରଙ୍ଗପୁର କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ୫ ତାରିଖ ଦିନ ସମ୍ପୃକ୍ତ ଆକ୍ରାନ୍ତ ଜଣକ ହସ୍ପିଟାଲରୁ କେଉଁଆଡ଼େ ଫେରାର ହୋଇଯାଇଥିଲେ। କୋଭିଡ ହସ୍ପିଟାଲ କର୍ମଚାରୀମାନେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କୁ ନପାଇବାରୁ ଜିଲ୍ଲାପାଳଙ୍କୁ ସୂଚନା ଦେଇଥିଲେ। ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ ଡା. ସନ୍ତୋଷ କୁମାର ନାଗ ନବରଙ୍ଗପୁର ଥାନାରେ ମାମଲା ଦାୟର କରିଛନ୍ତି। ଉକ୍ତ ମାମଲାକୁ କେନ୍ଦ୍ର କରି ନବରଙ୍ଗପୁର ପୁଲିସ ପକ୍ଷରୁ ଚାରଆଡ଼େ ଛାନଭିନ୍ ଜାରି ରହିଛି।
ପ୍ରକାଶଥାଉ କି, ଉକ୍ତ ବ୍ୟକ୍ତି ଜଣକ ସଙ୍ଗରୋଧ କେନ୍ଦ୍ରରେ ଥିବାବେଳେ ମଧ୍ୟ କେଉଁଆଡ଼େ ଫେରାର ହୋଇଯାଇଥିଲେ। ପରବର୍ତ୍ତୀ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ସଙ୍ଗରୋଧ କେନ୍ଦ୍ରକୁ ଅଣାଯାଇଥିଲା। ପୁନର୍ବାର କୋଭିଡ ହସ୍ପିଟାଲରୁ ଫେରାର ହେବା ଯୋଗୁ ଏହା ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲିଟିଛି। ସେଥିପାଇଁ ଜିଲ୍ଲାପାଳ ଡା.ଅଜିତ କୁମାର ମିଶ୍ର ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ନୀତିନ କୁଶଲକର କୋଭିଡ ହସ୍ପିଟାଲ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି।