ଝାରସୁଗୁଡ଼ା,ଏନ୍ଏନ୍ଏସ୍: କରୋନା ସଂକ୍ରମଣକୁ ରୋକିବା ପାଇଁ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥର ଶ୍ରାବଣ ମାସରେ ଶିବ ମନ୍ଦିରରେ ଭକ୍ତଙ୍କ ସମାଗମକୁ ବାରଣ କରାଯାଇଛି। ଏଥିପାଇଁ ଉପଖଣ୍ଡସ୍ତରୀୟ ମାଜିଷ୍ଟ୍ରେଟଙ୍କ ଦ୍ୱାରା ଆଜି ଜିଲ୍ଲାର ସମସ୍ତ ଶୈବପୀଠରେ ୧୪୪ ଧାରା ଲାଗୁ କରାଯାଇଛି। ଫଳସ୍ୱରୂପ ବୋଲବମ ଭକ୍ତ, କାଉଡ଼ିଆ ଓ ସାଧାରଣ ଭକ୍ତମାନେ ଶିବ ଲିଙ୍ଗରେ ଜଳାଭିଷେକ କରିବାରୁ ବଞ୍ଚିତ ରହିଛନ୍ତି।
ଉପଖଣ୍ଡସ୍ତରୀୟ ମାଜିଷ୍ଟ୍ରେଟଙ୍କ ଦ୍ୱାରା ଜାରି ହୋଇଥିବା ଆଦେଶାନୁଯାୟୀ, ଝାରସୁଗୁଡ଼ା ବ୍ଲକରେ ଥିବା ୫୯ଟି ଶିବ ମନ୍ଦିର ସମେତ କିର୍ମିରା ବ୍ଲକର ୨୦ଟି, କୋଲାବିରା ବ୍ଲକର ୫ଟି, ଲଇକେରା ବ୍ଲକର ୧୮ଟି ଏବଂ ଲଖନପୁର ବ୍ଲକର ୨୯ଟି ଶିବ ମନ୍ଦିର ପରିସରରେ ୧୪୪ ଧାରା ଜାରି ହୋଇଛି। ଶ୍ରାବଣ ମାସର ପ୍ରତି ସୋମବାର ଶିବ ଲିଙ୍ଗରେ ଜଳାଭିଷେକ ଲାଗି ଭକ୍ତମାନେ ମନ୍ଦିର ଏବଂ ଶୈବ ପୀଠଗୁଡ଼ିକୁ ଯାଉଥିବାରୁ ସେମାନଙ୍କୁ ରୋକିବା ଲାଗି ଏହି ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜିଲ୍ଲାର ସମସ୍ତ ଏକ୍ସିକ୍ୟୁଟିଭ ମାଜିଷ୍ଟ୍ରେଟ୍ ଏବଂ ଥାନାର ଆଇଆଇସିମାନଙ୍କୁ କାଉଡ଼ିଆ, ବୋଲବମ ଭକ୍ତ ତଥା ସାଧାରଣ ଭକ୍ତଙ୍କ ସମାବେଶକୁ ରୋକିବା ଲାଗି ସତର୍କ ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନେ ଆଦେଶ ତଥା କଟକଣାର ଅବମାନନା କରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉଲ୍ଲେଖ କରାଯାଇଛି। ସେଥିପାଇଁ ଚଳିତ ବର୍ଷ ଶ୍ରାବଣ ସୋମବାରରେ ମଧ୍ୟ ଶିବ ମନ୍ଦିରଗୁଡ଼ିକ ଖାଁ ଖାଁ ଲାଗୁଛି।