କୋରାପୁଟରୁ ଆଉ ୧୦ କରୋନା ଆକ୍ରାନ୍ତ ଚିହ୍ନଟ

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ଜିଲ୍ଲାରେ ଆଜି ପୁଣି ୧୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୭କୁ ବୃଦ୍ଧି ପାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୮ଜଣ ଦାମନଯୋଡ଼ିର ହୋଇଥିବାବେଳେ ୨ଜଣ ସେମିଲିଗୁଡ଼ାର ବୋଲି ଜିଲ୍ଲାପାଳ ମଧୁସୂଦନ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଦାମନଯୋଡ଼ିର ଆକ୍ରାନ୍ତମାନେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବାବେଳେ ସେମିଲିଗୁଡ଼ାର ୨ଜଣ କ୍ୱାରେଣ୍ଟାଇନରେ ଥିବା ପଶ୍ଚିମବଙ୍ଗ ଓ ହାଇଦ୍ରାବାଦ ଫେରନ୍ତା ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ଦାମନଯୋଡ଼ି ବି-୩ ଅଞ୍ଚଳ ପୂର୍ବରୁ କଣ୍ଟେନମେଣ୍ଟ ଜୋନରେ ଥିବାରୁ ତା’ର ଅବଧି ଆଉ ୪ଦିନ ପାଇଁ ବଢ଼ାଇ ଦିଆଯାଇଛି। ଅନ୍ୟପଟେ ଦାମନଯୋଡ଼ି ମାଥାଲପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କଲୋନୀ ଓ ସେମିଲିଗୁଡ଼ା କ୍ୱାରେଣ୍ଟାଇନ କେନ୍ଦ୍ରକୁ ଆଜିଠାରୁ ୪ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି।