ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି । ମିଳିଥିବା ରିପୋର୍ଟ ମୁତାବକ, ଭିଜିଲାନ୍ସ ବିଭାଗର ୯ଟି ଟିମ ଶ୍ରୀ ରାଉତଙ୍କ ନବରଙ୍ଗପୁର ସରକାରୀ ବାସଭବନ, କାର୍ଯ୍ୟାଳୟ ସହ ଭଦ୍ରକରେ ନିଜ ବାସଭବନ ଓ ଭୁବନେଶ୍ୱରସ୍ଥିତ କାନନ ବିହାରର ଏକ ଘରେ ରେଡ଼ ଚାଲିଛି । ଆଜି ସକାଳୁ ୯ଟି ଜାଗାରେ ରେଡ଼ ଚାଲିଛି ତଦନ୍ତ ପରେ ହିଁ ସବୁ ସ୍ପଷ୍ଟ କହିପାରିବୁ ବୋଲି ଭିଜିଲାନ୍ସ ଅଧିକାରୀ କହିଛନ୍ତି । ନବରଙ୍ଗପୁର ବାସଭବନରେ ମୋଟ ୮୯ ଲକ୍ଷ ୪୮ ହଜାର ଟଙ୍କା ଜବତ କରାଯାଇଛି । ତଦନ୍ତ ଚାଲିଥିବାବେଳେ ଆଉ ଅଧିକ ଟଙ୍କା ଥାଇପାରେ ବୋଲି ଅନୁମାନ କରାଯାଉଛି । ଏହି ଚଢ଼ଉ ନବରଙ୍ଗପୁର ମାଟିକୁ ଦୁଃଖ ବୋଲି ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ କହିଛନ୍ତି । ଉପଜିଲ୍ଲାପାଳଙ୍କୁ ଚାକିରିରୁ ବହିଷ୍କାର କରିବା ସହ ୨୪ ଘଣ୍ଟା ମଧ୍ୟରେ ଗିରଫ କରାଯାଉ ବୋଲି କଂଗ୍ରେସ ସଭାପତି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଏହାପୂର୍ବରୁ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକରେ ବିଡିଓ ଥିବା ସମୟରେ ଜିରିପାଣି ପଞ୍ଚାୟତର ୧୧ ଲକ୍ଷ ଟଙ୍କାର ଏକ ପ୍ରୋଜେକ୍ଟରେ ବିଲ କରେଇଦେବା ପାଇଁ ୧ଲକ୍ଷ ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଥିଲେ । ଏହାସହ ନବରଙ୍ଗପୁରରେ ମଧ୍ୟ ରାଉତଙ୍କ ନାଁରେ ଅନେକ ଅଭିଯୋଗ ଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ଜଣାପଡ଼ିଛି । ଉମରକୋଟରେ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି । ଭାରତମାଳା ପ୍ରକଳ୍ପଠାରୁ ବାଲି ମାଫିଆ ପର୍ଯ୍ୟନ୍ତ ସମସ୍ତଙ୍କଠାରୁ ଟଙ୍କା ଆଦାୟ କରୁଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି । କିନ୍ତୁ ଜିଲ୍ଲାପାଳ ଜାଣିଶୁଣି ଏଭଳି ଅଧିକାରୀଙ୍କୁ ଅଧିକ ପ୍ରୋତ୍ସାହନ ଦେଉଥିବା ଲୋକେ କହୁଛନ୍ତି ।