ନବରଙ୍ଗପୁର ଅମଲା ସଂଘର ଚିନ୍ତନ ବୈଠକ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ଓଡ଼ିଶା ଅମଲା ସଂଘର ଚିନ୍ତନ ବୈଠକ ସ୍ଥାନୀୟ ହୋଟେଲ ତୃପ୍ତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ୩୦ ହଜାର ଅମଲାଙ୍କ ଏକମାତ୍ର ଦାବୀ ୪୨୦୦ ଟଙ୍କା ଗ୍ରେଡ ପେକୁ ହତାଦର କରି ନିଜ ସ୍ୱାର୍ଥ ପାଇଁ ମଞ୍ଚ ନାମରେ ମିଳିଥିବା ସୁଯୋଗ ହାତେଇ ନିଜ କାର୍ଯ୍ୟ କରିଥିବାରୁ ସମ୍ପୃକ୍ତ ନେତାଙ୍କ ବିଶ୍ୱାସ ଘାତକତାକୁ ଉଚିତ ଜବାବ ଦେବାକୁ ଜିଲ୍ଲା ଅମଲା ସଂଘ ବୈଠକରେ ନିଷ୍ପତ୍ତି ନେଇଥିଲା । ଆବଶ୍ୟକ ପଡ଼ିଲେ ଟ୍ରେଜେରି ଓ ସହପ୍ରବନ୍ଧକ ସଂଘର ସହଯୋଗରେ ଓଡ଼ିଶା ଅମଲା ସଂଘ ଆନ୍ଦୋଳନକୁ ଓହ୍ଲାଇବାକୁ ଉଚିତ ମଣିବ ବୋଲି ସଭାପତି ବୁଲୁ ହୋତା କହିବା ସହ ସମସ୍ତ ୩୨ଟି ବିଭାଗର ଅମଲାଙ୍କୁ ଆଗାମୀ ଦିନରେ ସାମ୍ନାକୁ ଆସିବାକୁ ଆହ୍ୱାନ ଦେଇଥିଲେ । ଏହି ବୈଠକରେ ଶାଖା ସଂଘର ଉପଦେଷ୍ଟା ସତ୍ୟ ନାରାୟଣ ଖଡ଼ଗରାୟ ଓ ଭାଗିରଥୀ ମହାନ୍ତି ବର୍ତ୍ତମାନର ପରିସ୍ଥିତି ଅନୁଯାୟୀ ରାଜ୍ୟ ସଂଘ ନିରପେକ୍ଷ ପଦକ୍ଷେପ ନେଇ ମିଳିତ ମଞ୍ଚକୁ ଭଙ୍ଗ କରିବାବୁ ରାଜ୍ୟ ନେତୃତଙ୍କୁ ଅନୁରୋଧ କରିବା ସହ ନିଜ ନିଜ ମତ ଉପସ୍ଥାପନ କରିଥିବାବେଳେ ଉପସଭାପତି ସିଦ୍ଧେଶ୍ୱରୀ ବେନ୍ୟା ଜିଲ୍ଲା ମଞ୍ଚର ଅନୈତିକ କାର୍ଯ୍ୟକୁ ଆଲୋଚନା କରିଥିଲେ । ଉପସ୍ଥିତ ସମସ୍ତ ବିଭାଗୀୟ ସଦସ୍ୟ ଓ ପ୍ରତିନିଧି ନିଜ ନିଜ ସମର୍ଥନ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗ ତରଫରୁ ଅଶ୍ୱିନୀ ନେଗୀ, ନାରାୟଣ ସାହୁ, ବ୍ରଜକିଶୋର ମିଶ୍ର, ରଞ୍ଜିତ ଷଡ଼ଙ୍ଗୀ, ଅରୁଣ ରଥ, ସରୋଜ ଷଡ଼ଙ୍ଗୀ, ସ୍ପନ୍ଦନ ରାଉତ, ସ୍ନେହାସିସ ଦାସ, ଯୁଗଳ କିଶୋର ଗଉଡ଼, ସମୀର ବିଷୋୟୀ, ଗୁରୁ ପ୍ରସାଦ ଦୋରା, ପ୍ରଦୀପ ଦାଶ, ଲକ୍ଷ୍ମଣ ମାଝୀ, ବିଦ୍ୟା ରଞ୍ଜନ ପଟ୍ଟନାୟକ ଓ ଜଗଦୀଶ ନାୟକଙ୍କ ସହ ବବିତା ଲାଲ ଓ ପ୍ରସାଦିନି ଦେବୀ ଯୋଗ ଦେଇଥିଲେ ।