ଲକ୍ଷ୍ମୀ ମାଝୀ ମୃତ୍ୟୁ ଘଟଣାରେ ଦୋଷୀକୁ ତୁରନ୍ତ ଗିରଫ କରିବାକୁ ଦାବି କଲା ବିଜେପି ପ୍ରତିନିଧି ମଣ୍ଡଳୀ

ଚନ୍ଦ୍ରପୁର,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ମା’ଗୃହରେ ୪ ବର୍ଷ ଧରି କାର୍ଯ୍ୟରତ ଥିବା କାଶୀପୁର ବ୍ଲକ ଅନ୍ତର୍ଗତ ନାକଟିଗୁଡ଼ାର ଆଦିବାସୀ ଯୁବତୀ ଲକ୍ଷ୍ମୀ ମାଝୀ(୨୮) ଅପମୃତ୍ୟୁ ମାମଲା ଏବେ ଚର୍ଚ୍ଚାରେ ପ୍ରସଙ୍ଗ ପାଲଟିଛି । ଏହା ଆଦୌ ଆତ୍ମହତ୍ୟା ନୁହେଁ ବରଂ ଲକ୍ଷ୍ମୀକୁ ଅମାନୁଷିକ ଭାବେ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ କରାଯାଇଛି ବୋଲି ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ଏବଂ ବିଜେପିର ଏକ ତଥ୍ୟ ଅନୁସନ୍ଧାନକରୀ ଗୋଷ୍ଠୀ ଘଟଣାସ୍ଥଳ ପରିଦର୍ଶନ କରି ପ୍ରତିକ୍ରିୟା ରଖିଛନ୍ତି । ଏହି ଘଟଣା ଅତୀତର କୁନ୍ଦୁଲି ପରି ଏକ ଷଡ଼ଯନ୍ତ୍ର । ଏଣୁ ପ୍ରକୃତ ରହସ୍ୟ ଉନ୍ମୋଚନ କରାଯାଇ ଦୋଷୀଙ୍କୁ କଠୋର ଦଣ୍ଡବିଧାନ କରିବାକୁ ଦାବି କରାଯାଇଛି ।

ମିଳିଥିବା ରିପୋର୍ଟ ମୁତାବକ, ଗତ ୨୦ ତାରିଖ ରାତି ୧୦ଟା ସମୟରେ ମା’ଗୃହ ସମ୍ମୁଖରେ ରୋଗୀଙ୍କ ପାଇଁ ଥିବା ରୋଷେଇ ଗୃହ ପାଚେରୀ ନିକଟରେ ଲକ୍ଷ୍ମୀ ପୋଡ଼ି ହୋଇ ମୃତ୍ୟୁବରଣ କରିଥିବା ଖବର ଜଣାପଡ଼ିବା ପରେ ଚାରିଆଡ଼େ ଚାଞ୍ଚଲ୍ୟ ଖେଳି ଯାଇଥିଲା । ପରଦିନ ଲକ୍ଷ୍ମୀର ବାପା ବେଳଧର ମାଝୀ ଚନ୍ଦ୍ରପୁରରେ ପହଞ୍ଚି ଏନେଇ ଥାନାରେ ଏତଲା ଦେବା ପରେ ପୁଲିସ ଶବକୁ ମୁନିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକନ୍ଦ୍ରକୁ ଆଣି ବ୍ୟବଛେଦ କରାଇଥିଲା । କିନ୍ତୁ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରାଯାଉଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଆଲିସାର ନିର୍ଦ୍ଦେଶକ ନରସିଂହ ମହାପାତ୍ର ଝିଅକୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଇ ଆସୁଥିବା ନେଇ ଲକ୍ଷ୍ମୀଙ୍କ ବାପା ବେଳଧର ଏତଲାରେ ଉଲ୍ଲେଖ କରିଛନ୍ତି । ଅନ୍ୟପଟେ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦିକା ବବିତା ମହାପାତ୍ରଙ୍କ ନେତୃତ୍ୱରେ ଆସିଥିବା ତଥ୍ୟ ଅନୁସନ୍ଧାନକାରୀ ଦଳ ଉକ୍ତ ବିଷୟକୁ ନେଇ ଚିନ୍ତା ବ୍ୟକ୍ତ କରିବା ସହିତ ଘଟଣାସ୍ଥଳରୁ ମାତ୍ର ୨୦-୨୫ ଫୁଟ ଦୂରତାରେ ଥିବା ମା’ଗୃହର ଅନ୍ୟ ୪ଜଣ ଅନ୍ତେବାସିନୀ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀମାନେ କିପରି ଜାଣିପାରିଲେ ନାହିଁ ବୋଲି ପ୍ରଶ୍ନ ରଖିଛନ୍ତି । ଅଘଟଣକୁ ସପ୍ତାହେ ବିତି ଯାଇଥିବାବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ନଆସିବା ନେଇ ଶ୍ରୀମତୀ ମହାପାତ୍ର ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏହାବ୍ୟତୀତ ଶରୀରର ମାତ୍ର ୨୦ରୁ ୩୦ ପ୍ରତିଶତ ପୋଡ଼ିଥିବା ଏବଂ ଏତେ କମ ନିଆଁରେ କିପରି ଜଣେ ମରିପାରିବ ସେନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ଅନୁସନ୍ଧାନକାରୀ ପ୍ରତିନିଧି ମଣ୍ଡଳୀ ସ୍ୱାସ୍ଥ୍ୟକେନ୍ଦ୍ର ଚିକିତ୍ସା ଅଧିକାରୀ ଡା. ହରିହର ବଳଦେବ ଟୁଡୁଙ୍କୁ ଭେଟି ସବିଶେଷ ତଥ୍ୟ ସଂଗ୍ରହ କରିଥିଲେ । ବିଷମକଟକ ଉପଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ସନ୍ତୋଷିନୀ ଓରାମ ମା’ଗୃହର ୪ଜଣ ଅନ୍ତେବସିନୀଙ୍କୁ ମଧ୍ୟ ଭେଟି ତଦନ୍ତ ସମ୍ବନ୍ଧୀୟ ଅନେକ ତଥ୍ୟ ଉପରେ ପଚାରି ବୁଝିଥିଲେ । ଏହାସହ ଯଥାଶୀଘ୍ର ଦୋଷୀଙ୍କୁ ଗିରଫ କରି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ପୁଲିସ ପ୍ରଶାସନକୁ ଦାବି ଜଣାଇଥିଲେ । ଅନ୍ୟଥା ଆଗାମୀ ଦିନରେ ଆଦିବାସୀ ମହାସଂଘ ଓ ବିଜେପି ରାଜ୍ୟଭର ଆନ୍ଦୋଳନକୁ ତୀବ୍ର କରିବ ବୋଲି ଚେତାବନୀ ଦିଆଯାଇଛି । ଶ୍ରୀମତୀ ପାତ୍ରଙ୍କ ସହ ବିଜେପି ଜାତୀୟ ଜନଜାତି ମୋର୍ଚ୍ଚା ସାଧାରଣ ସମ୍ପାଦକ କାଳୀରାମ ମାଝୀ, ଓବିସି ମୋର୍ଚ୍ଚା ରାଜ୍ୟ ଉପସଭାପତି ରାମଚନ୍ଦ୍ର ବେହେରା, ଜିଲ୍ଲା ମହିଳା ମର୍ଚ୍ଚା ସଭାପତି ବୁରୁଡ଼ି ଲାଷ୍ମୀ, ରାଜ୍ୟ ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟା ଅଶ୍ୱିନୀ କୋଞ୍ଚଡ଼ା, ପୂର୍ବତନ ଜିଲ୍ଲା ସଭାପତି ଶିବ ଶଙ୍କର ଉଲ୍ଲାକା, ଚନ୍ଦ୍ରପୁର ମଣ୍ଡଳ ସଭାପତି ବାପି ସାହୁକାର, ପୂର୍ବତନ ସରପଞ୍ଚ ସୁନାମଣି ପ୍ରଟିଙ୍ଗା ଓ ଯୁବମୋର୍ଚ୍ଚା ସଭାପତି ସୁରେନ୍ଦ୍ର ଦିବାକା ପ୍ରମୁଖ ଅନୁସନ୍ଧାନକାରୀ ପ୍ରତିନିଧି ମଣ୍ଡଳୀରେ ଉପସ୍ଥିତ ଥିଲେ ।