ଖୁବଶୀଘ୍ର ମୋନିକା ଯୋଶୀ ମୃତ୍ୟୁ ଘଟଣାର ରହସ୍ୟ ଖୋଲିବ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଗତ ୧୦ ତାରିଖରେ ହୋଇଥିବା ମୋନିକା ଯୋଶୀ(୨୧) ମୃତ୍ୟୁ ଘଟଣାର ଯଥାଶୀଘ୍ର ଫର୍ଦ୍ଦାଫାଶ ହେବ। ସପ୍ତାହେ ହେବ ସମ୍ପୂର୍ଣ୍ଣ ରହସ୍ୟ ଘେରରେ ଥିବା ମୋନିକା ଯୋଶୀ ମୃତ୍ୟୁ ଘଟଣାର ତଦନ୍ତରେ ପୁଲିସକୁ ଅନେକ ସଫଳତା ମିଳଥିବା ଜଣାପଡ଼ିଛି। ମୋନିକାଙ୍କ ହଜିଥିବା ମୋବାଇଲ ଓ ତାଙ୍କ ବହିରୁ ଏକ ଚିଠି ପୁଲିସକୁ ହସ୍ତଗତ ହୋଇଛି। ମୋବାଇଲ ମିଳିବା ପରେ ଏଥିରୁ କଲ ରେକର୍ଡ ଯାଞ୍ଚ କରି ମୋନିକା ମୃତ୍ୟୁ ଦିନ କାହା କାହା ସହ କଥା ହୋଇଥିଲେ ତାହା ଜଣାପଡ଼ିବ। ଏହାସହ ମିଳିଥିବା ଚିଠିିର ହସ୍ତାକ୍ଷର ଯାଞ୍ଚ ପରେ ଏହା ମୋନିକାର ଲିଖିତ ଚିଠି ନା ଆଉ କେହି ଲେଖି ତାଙ୍କ ବହିରେ ରଖିଥିଲେ ତାହା ମଧ୍ୟ ଜଣାପଡ଼ିବ। ଗତ ୧୦ ତାରିଖ ଇବ୍ ରେଳ ଷ୍ଟେସନ ନିକଟରୁ ମୋନିକାଙ୍କ ମୃତଦେହ ଉଦ୍ଧାର ପରେ ରେଳବାଇ ପୁଲିସ ଏକ ଅପମୃତ୍ୟୁ ମାମାଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ତେବେ ମୋନିକାଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ପରିବାର ଲୋକେ ଅଭିଯୋଗ କରିବା ପରେ ବ୍ରଜରାଜନଗର ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଉଭୟ ରେଲବାଇ ଓ ଝାରସୁଗୁଡ଼ା ପୁଲିସ ମାମଲାର ଖୋଲତାଡ଼ ଜୋରସୋରରେ ଜାରି ରଖିଛନ୍ତି।ତେବେ ଏବେସୁଦ୍ଧା ମୋନିକାଙ୍କୁ ହତ୍ୟା କରାଯାଇଛି ନା ଏହା ଏକ ଅପମୃତ୍ୟୁ ତାହା ମଧ୍ୟ ପୁଲିସ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ। ପୋଷ୍ଟମୋର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ରେଳବାଇ ପୁଲିସ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ମୋନିକାଙ୍କ ବାପା ସୁରେଶ ଯୋଶୀ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ଦୃଢ଼ ଅଭିଯୋଗ କରି ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯାଉ ବୋଲି ଦାବି କରିଛନ୍ତି।