ଚିନ୍ତାରେ ମୂର୍ତ୍ତି କାରିଗର, ଦ୍ୱନ୍ଦରେ ଶିକ୍ଷାନୁଷ୍ଠାନ

ଫୁଲବାଣୀ,ରାଇକିଆ,ଖଜୁରିପଡ଼ା,ଏନ୍ଏନ୍ଏସ୍: ଆଉମାତ୍ର କିଛିଦିନ ପରେ ପଡୁଛି ଗଣେଶ ପୂଜା। ଇତିମଧ୍ୟରେ ରାଜ୍ୟରେ କେତେକ ଜିଲ୍ଲାରେ ଗଣେଶ ପୂଜା ପାଇଁ କଟକଣା ଜାରି କରାଯାଇଥିବାବେଳେ କନ୍ଧମାଳ ଜିଲ୍ଲାରେ ପୂଜା ହେବକି ନାହିଁ ସେନେଇ କୌଣସି ନିର୍ଦ୍ଦେଶନାମା ଆସିନାହିଁ। ଏହାକୁ ନେଇ ଚିନ୍ତାରେ ମୂର୍ତ୍ତି କାରିଗର ଓ ଜିଲ୍ଲାର ଶିକ୍ଷାନୁଷ୍ଠାନ।
ପ୍ରକାଶ ଯେ, କନ୍ଧମାଳ ଜିଲ୍ଲାରେ ଥିବା ଶହଶହ ମୂର୍ତ୍ତି କାରିଗରମାନେ ଗଣେଶ ପୂଜା ଓ ସରସ୍ୱତୀ ପୂଜାରେ ବେଶ୍ କିଛି ଟଙ୍କା ରୋଜଗାର କରିଥାନ୍ତି। ବର୍ତ୍ତମାନ କରୋନା କଟକଣା ଯୋଗୁଁ ସେମାନେ ଚିନ୍ତାରେ ରହିଛନ୍ତି। ଚଳିତବର୍ଷ ଶିକ୍ଷାନୁଷ୍ଠାନରେ ହେଉ କିମ୍ବା ଅନ୍ୟସ୍ଥାନରେ ପୂଜା ହେବକି ନାହିଁ ତାହା ଜଣାପଡିନାହିଁ। ଖୋଦ୍ ଫୁଲବାଣୀ ସହରରେ ପ୍ରାୟ ୧୦ଜଣରୁ ଅଧିକ ମୂର୍ତ୍ତି କାରିଗର ଅଛନ୍ତି। ପୂଜା ସମୟରେ ସେମାନେ ଗୋଟିଏ ମାସରେ ପ୍ରାୟ ୫୦ ରୁ ୬୦ ହଜାର ଟଙ୍କା ଲାଭାବାନ ହୋଇଥାନ୍ତି ବୋଲି ପ୍ରକାଶ କରିଛନ୍ତି ମୂର୍ତ୍ତି କାରିଗର ଶ୍ରୀଧର ଦାସ। ଚଳିତବର୍ଷ କରୋନା ପାଇଁ ପ୍ରଶାସନ କଣ ପଦକ୍ଷେପ ନେବେ ସେ ନେଇ ଚିନ୍ତାରେ ଅଛନ୍ତି। ପ୍ରକାଶ ଯେ, ଶ୍ରୀଧର ଗତ ୧୫ ବର୍ଷ ହେଲା ମୂର୍ତ୍ତି ତିଆରି କରି ପରିବାର ପୋଷଣ କରନ୍ତି। କିନ୍ତୁ ଗତ ୫ ମାସହେଲା କରୋନା କଟକଣା ଯୋଗୁଁ ମୂର୍ତ୍ତି କାରିଗର ମାନଙ୍କର ରୋଜଗାର ସମ୍ପୂର୍ଣ୍ଣଭାବେ ବନ୍ଦ ହୋଇଯାଇଥିବାବେଳେ ଏ ଦିଗରେ ସରକାର ଦୃଷ୍ଟି ଦେଇ ସହାୟତା କରିବା ଆବଶ୍ୟକ ହୋଇ ପଡିଛି ବୋଲି ଫିରିଙ୍ଗିଆ ଅଞ୍ଚଳର ମୂର୍ତ୍ତି କାରିଗର ପ୍ରମୋଦ ଖମାରି , ଉତ୍ତମ ବେହେରା, ବୈକୁଣ୍ଠନାଥ ଦିଗାଲ, ଅଲୋକ ଦିଗାଲ ଏବଂ ରାଇକିଆ ଅଞ୍ଚଳର ଲକ୍ଷ୍ମଣ ପ୍ରଧାନ ଓ ବାଲିଗୁଡ଼ା, ଖଜୁରିପଡ଼ା, ଜି.ଉଦୟଗିରି ଆଦି ଅଞ୍ଚଳର ମୂର୍ତ୍ତି କାରିଗରମାନେ ପ୍ରକାଶ କରିଛନ୍ତି।