ଆମେରିକା ବଜାରରେ ହଳଦୀ ବିକିପାରିବ କନ୍ଧମାଳର ଚାଷୀ-ଧର୍ମେନ୍ଦ୍ର ପ୍ରଧାନ

କୃଷି ନୀତି ପ୍ରସଙ୍ଗରେ ଧର୍ମେନ୍ଦ୍ରଙ୍କ ଟ୍ୱିଟ୍

ନୂଆଦିଲ୍ଲୀ, ଭୁବନେଶ୍ୱର, ଏନ୍ଏନ୍ଏସ୍: ଦେଶ ତଥା ଓଡ଼ିଶାର କୃଷି କ୍ଷେତ୍ରରେ ମୋଦୀ ସରକାରଙ୍କ ଉଦ୍ୟମ ଏବଂ ନିକଟରେ ହୋଇଥିବା କୃଷି ସଂସ୍କାର ଓଡ଼ିଶା ତଥା ଦେଶର କୃଷକଙ୍କ ପାଇଁ ଅନେକ ସମ୍ଭାବନାର ସମ୍ଭାର ଆଣିବ ଏବଂ ଆତ୍ମନିର୍ଭର କୃଷି ଏବଂ ଆତ୍ମନିର୍ଭର ଭାରତ ନିର୍ମାଣରେ ସହାୟକ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମୋଦୀ ସରକାରଙ୍କ କୃଷି ନୀତି ଓ ଏକ୍ଷେତ୍ରରେ ହୋଇଥିବା ସଂସ୍କାର ପ୍ରସଙ୍ଗରେ ଶ୍ରୀ ପ୍ରଧାନ ଟ୍ୱିଟ କରି କହିଛନ୍ତି କୃଷି ଭାରତୀୟ ଅର୍ଥନୀତିର ମେରୁଦଣ୍ଡ। ବିଗତ ୬ ବର୍ଷ ମଧ୍ୟରେ ମୋଦୀ ସରକାର ଦେଶର ଚାଷୀମାନଙ୍କ ଉନ୍ନତି ପାଇଁ ନିରନ୍ତର ଉଦ୍ୟମ କରିଛନ୍ତି। ଚାଷୀଙ୍କ କଲ୍ୟାଣ ତଥା ଆମ କୃଷି କ୍ଷେତ୍ରର ସାମଗ୍ରିକ ବିକାଶ ପାଇଁ ମୋଦୀ ସରକାର କଟିବଦ୍ଧ ଏବଂ ଏଥିପାଇଁ ସର୍ବଦା କାର୍ଯ୍ୟରତ। ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି କେବଳ ଚାଷୀଙ୍କ ଉଚିତ୍ ମୂଲ୍ୟ ନିର୍ଦ୍ଧାରଣ କରିନାହିଁ ବରଂ କଠିନ ସମୟରେ ପିଏମ୍ କିଷାନ ଭଳି କୃଷି ନୀତି ସେମାନଙ୍କୁ ସୁବିଧା ମଧ୍ୟ ଦେଇଛି। କରୋନା ମହାମାରୀ ସମୟରେ ଓଡ଼ିଶାର ୩୬.୫ ଲକ୍ଷରୁ ଅଧିକ ଚାଷୀ ଡିବିଟି ଜରିଆରେ ସିଧାସଳଖ ୨ ହଜାର ଟଙ୍କା ଲେଖାଏଁ ପାଇପାରିଛନ୍ତି। ସେହିପରି ‘କୃଷକଙ୍କ ପାଇଁ ଗୋଟିଏ ଦେଶ, ଗୋଟିଏ ବଜାର’ କେବଳ ଉତ୍ପାଦନକାରୀଙ୍କୁ ସଶକ୍ତ କରିନାହିଁ ବରଂ ଗ୍ରାହକଙ୍କୁ ମଧ୍ୟ ମଜଭୁତ କରିଛି। ପ୍ରତିବନ୍ଧକ ମୁକ୍ତ ବାଣିଜ୍ୟ ଚାଷୀଙ୍କୁ ସଠିକ୍ ମୂଲ୍ୟ ଯୋଗାଇବ ଏବଂ ସେମାନେ ନିଜର ଉତ୍ପାଦିତ ସାମଗ୍ରୀକୁ ନିଜ ପସନ୍ଦ ଅନୁସାରେ ବଜାରରେ ବିକ୍ରି କରିପାରିବେ। ମୋଦୀ ସରକାରଙ୍କ କୃଷି ନୀତି କାରଣରୁ କୁଚିଣ୍ଡା କିମ୍ବା କୋରାପୁଟର ଚାଷୀ ଦେଶର ଯେକୌଣସି ବଜାରରେ ଲଙ୍କା ଏବଂ ଅଦା ବିକ୍ରି କରିବାକୁ ସାମର୍ଥ୍ୟ ହେବ। ଏହାସହ କନ୍ଧମାଳର ଜଣେ ଚାଷୀ ଆମେରିକା ବଜାରରେ ହଳଦୀ ବିକିବାକୁ ମଧ୍ୟ ସକ୍ଷମ ହୋଇପାରିବ। ଏହାବ୍ୟତିତ ଏହି ନୀତି କାରଣରୁ ଓଡିଶାର ଅଧିକାଂଶ ଅଞ୍ଚଳର ଚାଷୀମାନେ ମଧ୍ୟ ଲାଭ ପାଇବେ। ଅପରପକ୍ଷରେ ୧ ଲକ୍ଷ କୋଟି ଟଙ୍କାର କୃଷି ଭିତ୍ତିଭୂମି ପାଣ୍ଠି ପଣ୍ୟାଗାର, ଶୀତଳ ଭଣ୍ଡାର ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଭଳି ପରିଚାଳନାରେ ଥିବା ବିପୁଳ ସୁଯୋଗକୁ ସୃଷ୍ଟି କରିବାରେ ସହାୟକ ହେବ। ଏହାସହ ଆମର ଚାଷୀଭାଇ ମାନଙ୍କୁ ଜୈବିକ ଏବଂ ଭିଟାମିନଯୁକ୍ତ ଖାଦ୍ୟ ପ୍ରସ୍ତୁତି କରିବାରେ ସହଯୋଗ କରିବା ସହ ବିଶ୍ୱରେ ଚାଷୀମାନଙ୍କ ଉପସ୍ଥିତି ଜାହିର କରିବ। କୃଷି ଭିତ୍ତିଭୂମି ପାଣ୍ଠି କୃଷି କ୍ଷେତ୍ରରେ ଷ୍ଟାଟଅପକୁ ପ୍ରୋତ୍ସାହନ ଦେବା ଦ୍ୱାରା ଏକ ଇକୋସିଷ୍ଟମ ତିଆରି ହେବ। ଏହା ଦ୍ୱାରା ଦେଶର କୋଣ ଅନୁକୋଣରେ ଥିବା ଚାଷୀଙ୍କ ପାଖରେ ଏହି ସୁବିଧା ପହଞ୍ଚି ପାରିବ ଏବଂ କୃଷି କ୍ଷେତ୍ରରେ ପ୍ରତିଯୋଗିତାକୁ ମଧ୍ୟ ବଢ଼ାଇବ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ କରି କହିଛନ୍ତି।