ରାୟଗଡ଼ା,ଏନ୍ଏନ୍ଏସ୍: ସାମାନ୍ୟ ବଚସାକୁ କେନ୍ଦ୍ର କରି ନିର୍ମମ ହତ୍ୟାକାଣ୍ଡ ଘଟିଛି। ରାୟଗଡା ଜିଲ୍ଲା ଟିକିରି ଥାନା ଅନ୍ତର୍ଗତ ବଡ଼ ପୁକେଲ ଗ୍ରାମର ଝିକର ପଦର ଜଙ୍ଗଲରେ ଏଭଳି ଅଭାବନୀୟ ଅଘଟଣ ଘଟିଛି। ଘଟଣା ପରେ ଅଭିଯୁକ୍ତ ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡିଛି। ବଡ଼ ପୁକେଲ ଗ୍ରାମର ଗଜେନ୍ଦ୍ର ମାଝୀ ତାଙ୍କ ସ୍ତ୍ରୀ ଓ ଝିଅକୁ ନେଇ ଗାଁ ନିକଟରେ ପୋଡୁଚାଷ କରି ପାହାଡ଼ ତଳେ ଘର ତିଆରି କରି ରହିଆସୁଥିଲେ। ସେହି ଗାଁର ଅଭିଯୁକ୍ତ ପିରୁ ମାଝୀ ମଧ୍ୟ ମୃତ ଗଜେନ୍ଦ୍ର ମାଝୀଙ୍କର ଘର ଠାରୁ କିଛି ଦୂରରେ ରହି ଚାଷବାସ କରୁଥିଲେ। ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା। ଗଜେନ୍ଦ୍ରଙ୍କ ସ୍ତ୍ରୀ ତିଲାଇ ମାଝୀ ପିରୁ ମାଝୀ ଘରକୁ ଯାଇ ଝଗଡ଼ା ନ କରିବାକୁ କହିଥିଲା।
ସ୍ତ୍ରୀକୁ କାଳେ ଆକ୍ରମଣ କରିବା ସନ୍ଦେହରେ ଗଜେନ୍ଦ୍ର ମଧ୍ୟ ସ୍ତ୍ରୀ ତିଲାଇର ପିଛା କରିଥିଲା। ରାସ୍ତାରେ ପିରୁ ଓ ଗଜେନ୍ଦ୍ର ଉଭୟଙ୍କର ଭେଟଘାଟ ହେବାପରେ ପୁଣି ଉଭୟଙ୍କ ମଧ୍ୟରେ ପ୍ରବଳ ବଚସା ହୋଇଥିଲା। ପିରୁ ଧରିଥିବା ମାରଣାସ୍ତ୍ର ସାହାଯ୍ୟରେ ଗଜେନ୍ଦ୍ରଙ୍କୁ ଆକ୍ରମଣ କରିଥିଲା। ଫଳରେ ଗଜେନ୍ଦ୍ରଙ୍କର ମୁଣ୍ଡ, ଆଖି ଓ କାନରେ ଗଭୀର ଆଘାତ ହେଇ ରକ୍ତସ୍ରାବ ହୋଇଥିଲା। ଫଳରେ ଘଟଣାସ୍ଥଳରେ ଗଜେନ୍ଦ୍ର ମୃତ୍ୟୁବରଣ କରିଥିଲା। ପିରୁ ଗଜେନ୍ଦ୍ରକୁ ହତ୍ୟା କରିଦେଇଥିବା ଗ୍ରାମବାସୀ ସ୍ତ୍ରୀ ତିଲାଇକୁ ଜଣାଇବା ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ପିରୁ ନିଜେ ଟିକିରି ଥାନାରେ ଆତ୍ମ ସମର୍ପଣ କରିଥିବା ଜଣାପଡିଛି। ଖବରପାଇ ଘଟଣାସ୍ଥଳରେ ଟିକିରି ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ସାଇଣ୍ଟିଫିକ ଟିମ ସନ୍ଧାନୀ କୁକୁର ସହ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।