କଂସାରୀଗୁଡାରେ ହିଣ୍ଡୋଲ୍ କୋ ପ୍ରତିଷ୍ଠା ଦାବି, ୧୬ ଖଣ୍ଡ ଗ୍ରାମବାସୀଙ୍କ ଧମକ

ରାୟଗଡ଼ା,ଏନ୍ଏନ୍ଏସ୍: କମ୍ପାନୀ ନାହିଁ ତ ମାଳୀ ନ।ହିଁ। ଆନ୍ଦୋଳନ ଏବେ ଧିରେ ଧିରେ ଉଗ୍ର ରୂପ ନେବାରେ ଲାଗିଛି। ବିଗତ ୪ ବର୍ଷ ମଧ୍ୟରେ ହିଣ୍ଡୋଲ୍ କୋ କମ୍ପାନୀ ପାଇଁ ଜମି ହରାଇ ଥିବା ୧୬ ଖଣ୍ଡ ଗାଁର ଲୋକେ ୫୨ ଥର ଜିଲ୍ଲାପାଳ, ୩ ଥର ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଏବଂ ୪ ଥର ମୁଖ୍ୟ ଶାସନ ସଚିବଙ୍କୁ ଭେଟିଥିଲେ ସୁଦ୍ଧା ସମସ୍ତେ ଆମକୁ ଠକି ଆସିଛନ୍ତି। ଏପରିକି ୨୦୨୦ ଜାନୁଆରୀରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମଧ୍ୟ ପାଣିର ଗାର ହୋଇଯାଇଛି ବୋଲି ଅଭିଯୋଗ ଆଣିଛନ୍ତି କଂସାରିଗୁଡାର ଦୌଲତ ଚୌଧୁରୀ। ଧର୍ଯ୍ୟର ସୀମା ଅତିକ୍ରମ କରିବା ପରେ ବାଧ୍ୟ ହୋଇ ନିଜ ଜମି ଫେରି ପାଇବାକୁ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହୋଇଛୁ କହିଛନ୍ତି ଦୌଲତ ଚୌଧୁରୀ।

ହିଣ୍ଡଲ କୋ ରିଫାଇନାରୀ କାରଖାନା ପ୍ରତିଷ୍ଠା କରିବାର ପ୍ରତିଶ୍ରୁତି ଦେଇ ଦୀର୍ଘ ୧୪ ବର୍ଷ ତଳେ କାଶୀପୁର ତହସିଲ ଅନ୍ତର୍ଗତ ୧୬ ଖଣ୍ଡ ଗାଁ ଲୋକଙ୍କ ୨୦୦୦ରୁ ଊର୍ଦ୍ଧ୍ୱ ଜମି ଅଧିଗ୍ରହଣ କରିଥିଲା ଜିଲ୍ଲା ପ୍ରଶାସନ। କିନ୍ତୁ ଇତି ମଧ୍ୟରେ ୧୪ ବର୍ଷ ବିତିଯାଇଥିଲେ ସୁଦ୍ଧା କାରଖାନା ପ୍ରତିଷ୍ଠା ହୋଇପାରି ନାହିଁ। ଆଉ ଏବେ ରାସ୍ତା ରୋକ, ରେଳ ରୋକର ଧାମକ ମିଳିବା ପରେ ଜିଲ୍ଲା ପ୍ରଶାସନର ନିଦ୍ରା ଭଙ୍ଗ ହୋଇଛି।

ରାୟଗଡ଼ା ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲା। ତେବେ ଦୀର୍ଘ ଘଣ୍ଟା ଧରି ଆଲୋଚନା ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ଷ ବାହାରିପାରିଲା ନାହିଁ। ଶେଷରେ ଆସନ୍ତା ମାର୍ଚ୍ଚ ୨ ତାରିଖ ଦିନ କାଶୀପୁର ବ୍ଲକର ରୁଫକୋଣା ଛକରେ ରାସ୍ତା ରୋକ୍ ସହ ସିଙ୍ଗାରାମ୍ ରେଳ ଷ୍ଟେସନରେ ରେଳ ରୋକ କରାଯିବ ବୋଲି ୧୬ ଖଣ୍ଡ ଗ୍ରାମର ଜମିହରା ବାସିନ୍ଦା ଚେତାବନୀ ଦେଇଛନ୍ତି। ରାୟଗଡ଼ା ଉପଜିଲ୍ଲାପାଳ ପ୍ରତାପଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆନ୍ଦୋଳନକାରୀଙ୍କ ନେତୃତ୍ୱ ନେଉଥିବା ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାସ କୁଲସିକାଙ୍କ ନେତ଼ତ୍ୱରେ ଏକ ବୈଠକ ବସିଥିଲା। ତେବେ ଲୋକେ ଖଣିଖନନକୁ ବିରୋଧ କରୁନଥିବା ବେଳେ କଂସାରୀଗୁଡା ଠାରେ ପ୍ରସ୍ତାବିତ କାରଖାନାକୁ ତୁରନ୍ତ ଆରମ୍ଭ କରିବା ପାଇଁ ଦାବି କରିଥିଲେ। ବିଭିନ୍ନ ଆଳଦେଖାଇ ପ୍ରଶାସନ ତରଫରୁ ଆନ୍ଦୋଳନକାରୀଙ୍କ ମନରେ ଭ୍ରମ ସୃଷ୍ଟି କରାଯାଇଥିଲା ବୋଲି ପୂର୍ବତନ ବିଧାୟକ କୈଳାସ କୁଲସିକା ଅଭିଯୋଗ କରିଛନ୍ତି।

ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର କଥାକୁ ଆଉ ବିଶ୍ଵାସକୁ ନନେଇ ଆମେ ଆନ୍ଦୋଳନର ପନ୍ଥାକୁ ଆପଣାଇ ନେଇଛୁ ବୋଲି ସେ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ କହିଛନ୍ତି। ସେହିପରି ଏହି ଘଟଣାକୁ ସମର୍ଥନ ଜଣାଇଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲାକା। ଆସନ୍ତା ୨ ତାରିଖ ଦିନ ଯେଉଁ ଆନ୍ଦୋଳନ ହେବ ତାକୁ ସେ ସମର୍ଥନ ଜଣାଇବା ସହ ୪ ତାରିଖ ଦିନ କଂସାରୀଗୁଡା ଠାରେ ଆୟୋଜିତ ହେବାକୁ ଥିବା ବିଶାଳ ସମାବେଶରେ ଯୋଗଦେବେ ବୋଲି କହିଛନ୍ତି।

ମୁଖ୍ୟମନ୍ତ୍ରୀ ଗତ ୨୦୨୦ ମସିହାରେ ଉଭୟ କୋରାପୁଟ ଓ ରାୟଗଡ଼ା ଜିଲ୍ଲାବାସୀଙ୍କୁ ଯେଉଁ ୪ ହଜାର ନିଯୁକ୍ତିର ମିଥ୍ୟା ପ୍ରତିଶ୍ରୁତି ଦେଇଛନ୍ତି ତାର କଡା ଜବାବ ଦିଆଯିବ ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି। ଗତ ୧୪ ବର୍ଷ ତଳେ ଅଞ୍ଚଳର ବିକାଶ ଓ ବେକାରୀଙ୍କୁ ନିଯୁ୍କ୍ତି ସୁଯୋଗ ମିଳିବା ଆଶା କରି ଲୋକେ ଶାଗମାଛ ଦରରେ କମ୍ପାନୀକୁ ଜମି ବିକ୍ରି କରିଥିଲେ। କିନ୍ତୁ କାରଖାନା କରିବା ପରିବର୍ତ୍ତେ ରାଜ୍ୟ ସରକାର ଜୋରଜବରଦସ୍ତ ଖଣି ଲୁଟ୍ କରୁଛନ୍ତି ବୋଲି ସାଂସଦ ଆଭିଯୋଗ କରିଛନ୍ତି। ଏଣୁ ବିବାଦକୁ ଆଗକୁ ନେବା ପରିବର୍ତ୍ତେ ମୁଖ୍ୟମନ୍ତ୍ରୀ ଘଟଣାକୁ ଗୁରୁତର ସହ ନେଇ କଂସାରୀଗୁଡାରେ ତୁରନ୍ତ କାରଖାନା ପ୍ରତିଷ୍ଠା ପାଇଁ ଉଦ୍ୟମ କରନ୍ତୁ ବୋଲି ସାଂସଦ ସପ୍ତଗିରି ଶଙ୍କର ଉଲାକା ଦାବି କରିଛନ୍ତି।