ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ମନ କି ବାତ କାର୍ଯ୍ୟକ୍ରମରେ ଭାରତୀୟ ସେନାବାହିନୀ ପାଇଁ ନିଶୁଳ୍କ ତାଲିମ ଦେଉଥିବା ଜଗତସିଂହପୁର ଜିଲ୍ଲାର ସିଲୁ ନାୟକଙ୍କୁ ପ୍ରଶଂସା କରିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅରକୁଦର ଜଣେ ଭଦ୍ରଲୋକ ଅଛନ୍ତି- ନାୟକ ସାର୍। ବାସ୍ତବରେ ସେ ୱାନ ମିଶନରେ ୱାନ ମ୍ୟାନ୍! ସେନାରେ ଯୋଗଦେବାକୁ ଚାହୁଁଥିବା ଯୁବକମାନଙ୍କୁ ସେ ମାଗଣା ତାଲିମ ପ୍ରଦାନ କରନ୍ତି। ସୂଚନାଯୋଗ୍ୟ ଯେ, ନାୟକ ସାର୍ ତଥା ସିଲୁ ନାୟକଙ୍କ ସଂଗଠନର ନାମ ହେଉଛି ମହାଗୁରୁ ବାଟାଲିଅନ୍। ପ୍ରଶିକ୍ଷଣ ଶାରୀରିକ ସୁସ୍ଥତା ଠାରୁ ଆରମ୍ଭ କରି ସାକ୍ଷାତକାର ଏବଂ ଲେଖା ପର୍ଯ୍ୟନ୍ତ ସମସ୍ତ ଦିଗ ଉପରେ କାର୍ଯ୍ୟ କରେ। ୨୦୧୬ ମସିହାରୁ ଏହି ରେଜିମେଣ୍ଟରେ ପ୍ରଶିକ୍ଷଣ ନେଇ ବର୍ତ୍ତମାନ ସୁଦ୍ଧା ୭୦ରୁ ଅଧିକ ଯୁବକ ଭାରତୀୟ ସେନା, ବିଏସଏଫ, ନୌସେନା, ଏୟାର ଫୋର୍ସ, ଆଇଟିବିପି ଓ ପୁଲିସ ବିଭାଗରେ ନିଯୁକ୍ତି ପାଇଥିବାରୁ ପ୍ରଧାନମନ୍ତ୍ରୀ ତାଙ୍କର ପ୍ରଶଂସା କରିଛନ୍ତି।
ଆହୁରି କହିଛନ୍ତି ସିଲୁ ନାୟକ ଜୀ ନିଜେ ଓଡ଼ିଶା ପୁଲିସରେ ନିଯୁକ୍ତି ପାଇବା ପାଇଁ ଚେଷ୍ଟା କରି ସଫଳ ହୋଇଥିଲେ। ପରେ ନିଜ ପ୍ରଶିକ୍ଷଣ ଆଧାରରେ ସେ ଅନେକ ଯୁବକଙ୍କୁ ଜାତୀୟ ସେବା ପାଇଁ ଯୋଗ୍ୟ କରିପାରିଛନ୍ତି। ଆମ ଦେଶ ପାଇଁ ଆହୁରି ଅନେକ ହିରୋ ତିଆରି କରିବା ପାଇଁ ନାୟକ ସାରଙ୍କ ସଫଳତା କାମନା କରିବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ, ଗତ ପାଞ୍ଚ ବର୍ଷ ଧରି ନାଉଗାଓଁ ତହସିଲ ଅଧୀନରେ ଥିବା ଅରକୁଦ ବାସିନ୍ଦା ସିଲୁ ନାୟକ ସଶସ୍ତ୍ର ବାହିନୀରେ ଯୋଗଦେବାକୁ ଆଗ୍ରହୀ ଯୁବକମାନଙ୍କୁ ତାଲିମ ଦେଉଥିଲେ। ସେ ଅରକୁଦରେ ଶୁଖିଲା ଦେବୀ ନଦୀ ଶଯ୍ୟାରେ ତାଲିମ ପ୍ରଦାନ କରନ୍ତି। ସେ ଏପର୍ଯ୍ୟନ୍ତ ପ୍ରାୟ ୩୦୦ ଯୁବକଙ୍କୁ ତାଲିମ ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୭୦ ଜଣ ସଶସ୍ତ୍ର ବାହିନୀରେ ନିଯୁକ୍ତ ହୋଇଛନ୍ତି।