ଯୁବକଙ୍କ ଗଳାକାଟି ହତ୍ୟା

ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଥାନା ଅନ୍ତର୍ଗତ ଚୋରମରା ଗାଁ ନିକଟସ୍ଥ ଡୁଙ୍ଗରିରାସ୍ତାରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣଙ୍କ ଚୋରମରା ଗାଁର ବର୍ଜୁ ରଣା(୫୪)। ମୃତକଙ୍କ ଗଳାରେ କ୍ଷତ ସ୍ଥାନ ଥିବାରୁ ତାଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ସନ୍ଦେହ ହେଉଛି। ଖବରପାଇ ଟିଟିଲାଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛନ୍ତି। ତେବେ ମୃତକ ଚଣା ବିକ୍ରି କରି ପରିବାର ଚଳାଉଥିଲେ।

ପରିବାର ଲୋକଙ୍କ ସୂଚନା ଅନୁସାରେ ସେ ଟିଟିଲାଗଡ଼ ସହରକୁ ଗତକାଲି ସନ୍ଧ୍ୟାରେ ସାଇକେଲ ଯୋଗେ ଚଣା କିଣିବାକୁ ଯାଇଥିଲେ। ପରେ ଚୋରମରା ଗାଁର ପ୍ରାୟ ୧ କିଲୋମିଟର ପୂର୍ବରେ ତାଙ୍କ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ତାଙ୍କ ସାଇକେଲଟି ରାସ୍ତାକୁ ଲାଗିଥିବା ଡୁଙ୍ଗରି ଉପରେ ଡେରା ହୋଇଥିବାବେଳେ ପଛ କ୍ୟାରିୟରରେ ଏକ ବସ୍ତା ବନ୍ଧା ଯାଇଥିଲା ଓ ଆଗ ହେଣ୍ଡିଲରେ ଏକ ମୁଣା ଥିବା ଦେଖାଯାଇଛି।ଖବରପାଇ ଟିଟିଲାଗଡ଼ ଏସଡିପିଓ ସୁରେନ୍ଦ୍ର ନାଥ ଶତପଥୀ, ଥାନା ଆଇଆଇସି ପ୍ରଭାତ ରଞ୍ଜନ ମହାନ୍ତି, ଏସଆଇ ମନୋଜ ମୁଣ୍ଡା ପ୍ରମୁଖ ଉପସ୍ଥିତ ରହି ଘଟଣା ସମ୍ପର୍କରେ ଛାନ୍‌ଭିନ୍ କରୁଛନ୍ତି।