ନଦୀକୁ ବୋଇତ ଭସାଇବାକୁ ଯାଇ ଯୁବକ ନିଖୋଜ

ମୁନିଗୁଡ଼ା, ଏନ୍ଏନ୍ଏସ୍: ମୁନିଗୁଡ଼ା ବ୍ଲକ ଅମ୍ବାଦଳା ଥାନା ବଡ଼ିମୁସୁକା ଗାଁରେ ଏକ ଅଘଟଣ ଘଟିଯାଇଛି । କାର୍ତ୍ତିକ ପୂର୍ଣ୍ଣିମା ଦିନ ସାଙ୍ଗମାନଙ୍କ ସହିତ ବଂଶଧାରା ନଦୀକୁ ଡଙ୍ଗା ଭସାଇବାକୁ ଯାଇ ବିଜୟ ତୋଲା(୩୨) ନିଖୋଜ ହୋଇଯାଇଛନ୍ତି। ନଦୀରେ ଗାଧୋଉ ଥିବା ସମୟରେ ଅଜାଣତରେ ସେ ଗଣ୍ଡ ମଧ୍ୟକୁ ଚାଲି ଯିବାରୁ ଭଉଁରୀ ମଧ୍ୟରେ ଲୀନ ହୋଇଯାଇଥିଲେ। ସାଙ୍ଗମାନେ ଭୟରେ ସେ ଭଉଁରୀ ମଧ୍ୟରୁ ତାକୁ ଉଦ୍ଧାର କରି ନପାରି ତୁରନ୍ତ ଗାଁରେ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନାହିଁ। ଆଜି ପୁଣି ଚନ୍ଦ୍ରପୁର, ମୁନିଗୁଡ଼ା, ଗୁଡାରି ଓ ବିଷମକଟକରୁ ୧୫ଜଣ ଅଗ୍ନିଶମ କର୍ମୀ ଖୋଜିଥିଲେ ମଧ୍ୟ ବିଜୟଙ୍କୁ ପାଇନଥିଲେ। ପ୍ରକାଶ ଥାଉକି ଏହି ନଦୀ ଗଣ୍ଡରେ ପୂର୍ବରୁ ବେଦାନ୍ତ କମ୍ପାନୀର ଦୁଇଜଣ ଯୁବ ଇଞ୍ଜିନିୟର ଏବଂ ମୁନିଗୁଡାର ଦୁଇ ଯୁବକ ଗାଧୋଉ ଥିବାବେଳେ ବୁଡିଯାଇଥିଲେ।