ସୀମା ଚିହ୍ନଟକୁ ନେଇ ବିବାଦ: ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା

କୋରାପୁଟ,ଏନ୍ଏନ୍ଏସ୍: ପଟ୍ଟାଙ୍ଗୀ ତହସିଲ ସମ୍ବାଇ ପଞ୍ଚାୟତର ସୁନାବେଡ଼ାରେ ସୀମା ବିବାଦ ସମାଧାନ ହୋଇ ନଥିବାବେଳେ ଜାମ୍ବୁଗୁଡ଼ା ଗାଁରେ ପୁଣି ସୀମା ବିବାଦ ଉଗ୍ର ରୂପ ଧାରଣ କରିଛି। ଓଡ଼ିଶା ସୀମାବର୍ତ୍ତୀ ଆନ୍ଧ୍ରପ୍ରଦେଶର ଗ୍ରାମବାସୀ ଜାମ୍ବୁଗଡ଼ା ଗ୍ରାମରେ ପ୍ରବେଶ କରି ସେମାନଙ୍କ ଜମିରେ ପଥର ରଖିବାରୁ ବିବାଦ ଦେଖା ଦେଇଥିଲା। ଏହାକୁ ଜାମ୍ବୁଗୁଡ଼ା ଗ୍ରାମବାସୀ ବିରୋଧ କରିଥିଲେ। ବିରୋଧ କରିବା ପରେ ଉଭୟ ଗ୍ରାମବାସୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏପରିକି ଆନ୍ଧ୍ରର ଲୋକେ ଠେଙ୍ଗାବାଡ଼ି ଧରି ଏକତ୍ରିତ ହୋଇ ଆକ୍ରମଣ କରିବାକୁ ବାହାରିବାରୁ ଜାମ୍ବୁଗଡ଼ା ଗ୍ରାମବାସୀ ଆନ୍ଧ୍ର ସୀମାନ୍ତ ଗ୍ରାମର ୪ଜଣଙ୍କୁ ଜାମ୍ବୁଗୁଡ଼ାରେ ଆଣି ଅଟକ ରଖିଥିଲେ। ଏହି ଖବର ପୁଲିସ ଓ ପ୍ରଶାସନ ନିକଟରେ ପହଞ୍ଚିବା ପରେ ପଟ୍ଟାଙ୍ଗି ତହସିଲଦାର ହରିପଦ ମଣ୍ଡଳ ଓ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଇବା ପରେ ଜାମ୍ବୁଗୁଡ଼ା ଗ୍ରାମବାସୀ ୪ଜଣଙ୍କୁ ଛାଡ଼ିଥିବା ଜଣାପଡ଼ିଛି।