ବ୍ରିଜରେ ପିଟିହେଲା ବାଇକ୍ , ଜଣେ ମୃତ, ୨ ଗୁରୁତର

ବାଲିଗୁଡ଼ା, ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କ.ନୂଆଗାଁ ବ୍ଲକ ସାରଙ୍ଗଗଡ଼ ଥାନା ଗୁଟିଙ୍ଗିଆ ନିକଟରେ ଭାରସାମ୍ୟ ହରାଇ ବ୍ରିଜ୍ କାନ୍ଥରେ ବାଡେଇ ହୋଇ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି। ଏହାସହ ବାଇକ୍ ପଛରେ ବସିଥିବା ଦୁଇଜଣ ଗୁରୁତର ହୋଇଛନ୍ତି। ଗୁଡ୍ରିପଡ଼ି ଗ୍ରାମରୁ ବାହାରି ଗୁଟିଙ୍ଗିଆ ଅଭିମୁଖେ ଏକ ବାଇକରେ ତିନି ଜଣ ଆସୁଥିବାବେଳେ ଗୁଟିଙ୍ଗିଆ ନିକଟ ଏକ ବ୍ରିଜର ବାଡ଼ରେ ପିଟିହୋଇ ବ୍ରିଜ୍ ତଳେ ପଡିଯାଇ ଥିଲେ ।

ଏଥିରେ ବାଇକ ଚାଳକ ଗୁଡ୍ରିପଡ଼ି ଗ୍ରାମର ବିବେକାନନ୍ଦ ନାଏକଙ୍କ (୨୪)ର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଅନ୍ୟ ଦୁଇଜଣ ଶିମନ ଦିଗାଲ ଏବଂ ଅଭିଜିତ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଗୁରୁତର ଅବସ୍ଥାରେ ଅଞ୍ଚଳବାସୀ ପ୍ରଥମେ ସମସ୍ତଙ୍କୁ ଗୁଟିଙ୍ଗିଆ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ବିବେକାନନ୍ଦଙ୍କୁ ମୃତଘୋଷଣା କରିଥିଲେ । ଅନ୍ୟ ଦୁଇଜଣ ଗୁରୁତର ହୋଇ ଥିବାରୁ ଫୁଲବାଣୀ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସାରଙ୍ଗଡ଼ ଏସଆଇ କୃଷ୍ଣଚନ୍ଦ୍ର ଗୌଡ଼ ଦୁର୍ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି।