ନବମ ଦିନରେ ପୌର ପରିଷଦଙ୍କ ଆମରଣ ଅନଶନ, ଆତ୍ମହୁତି ପାଇଁ ସଜବାଜ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ପୌର ପରିଷଦ ମହାଦୁର୍ନୀତିର ତଦନ୍ତ ସହ ୧୫ ଦଫା ଦାବୀ ନେଇ ପୌର ପରିଷଦର ୭ କାଉନସିଲରଙ୍କ ଆମରଣ ଅନଶନ ଆଜି ୯ମ ଦିନରେ ପହଞ୍ଚିଛି । କିନ୍ତୁ ଆଜିପର୍ଯ୍ୟନ୍ତ ଏହାର କୌଣସି ସମାଧାନ ହୋଇପାରି ନାହିଁ । ଜିଲ୍ଲା ପ୍ରଶାସନ ଜାଣିଶୁଣି ଅନଶନକାରୀଙ୍କୁ ଉପେକ୍ଷା ଜରୁଥିବା ଅଭିଯୋଗ କରି କାଉନସିଲରଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିବାବେଳେ ଅଗାମୀ ଦିନରେ ଦାବୀ ପୂରଣ ନହେଲେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ୱରୂପ ଆତ୍ମାହୂତି ଦେବା ପାଇଁ ସଜବାଜ ହେଉଥିବା ଜଣାପଡ଼ିଛି । ଅନ୍ୟପଟେ ଅନଶନକାରୀଙ୍କୁ କଂଗ୍ରେସ ସମେତ ଅନ୍ୟାନ୍ୟ ଅନୁଷ୍ଠାନ ସମର୍ଥନ କରୁଥିବାରୁ ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ଓ ପୌର ରାଜନୀତିରେ ନୂଆ ମୋଡ଼ ନେବାର ସମ୍ଭାବନା ଦେଖାଯାଇଛି ।

ସୂଚନାଯୋଗ୍ୟ, ଦେବଗଡ଼ ଦୈନିକ ପରିବା ବଜାର ଟେଣ୍ଡରରେ ଅନିୟମିତତା ହୋଇଥିବାରୁ ଏହି ଟେଣ୍ଡର ରଦ୍ଦ ସହ ପୌର ପରିଷଦର ପୂର୍ବତନ କର୍ମଚାରୀଙ୍କ ଅବସରକାଳୀନ ଅର୍ଥ ହଡ଼ପ, ଫେରାର ଆକାଉଣ୍ଟାଣ୍ଟ ବିନୋଦ ନାଗର ଗିରଫ ଦାବୀ ସହ ଅନ୍ୟାନ୍ୟ ଦାବୀ କରିଥିଲେ । ପୌର ପରିଷଦ ଉପାଧ୍ୟକ୍ଷ ପ୍ରଜିତ କୁମାର ଭୋଜ, ବରିଷ୍ଠ କାଉନସିଲର ଧର୍ମେନ୍ଦ୍ର କୁମାର ଦେବତା, କାର୍ତ୍ତିକ ମହାକୁଳ, ମଧୁସୂଦନ ବାଘ, ଇତିଶ୍ରୀ ମିଶ୍ର, ସରୋଜିନୀ ମୁଣ୍ଡା ଓ ପିଙ୍କି ସାହୁ ପ୍ରମୁଖ ଗତ ଜୁଲାଇ ୨୫ ତାରିଖରୁ ପୌର କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି ।