ଗୁଣି ଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା ଅଭିଯୋଗ, ୫ ଅଟକ

ସଇଁନ୍ତଳା,ଏନ୍ଏନ୍ଏନ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ଥାନା ବଡ଼ମାଳ ଫାଣ୍ଡି ଅନ୍ତର୍ଗତ ବରାହମାଲ ଗାଁରେ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି। ଗୁଣି ଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ପୁଅ ସୁନାଧର ଭୋଇ ଅଭିଯୋଗ କରିଛନ୍ତି। ମୃତକ ଜଣକ ହେଲେ ବରାହମାଲର ୬୫ ବର୍ଷ ବୟସର ନିତ୍ୟା ଭୋଇ। ଗାଁର ତହସିଲ ବଗର୍ତ୍ତି, ରାଜେଶ ବଗର୍ତ୍ତୀ, ଲିଙ୍ଗ ବଗର୍ତ୍ତୀ, ନବ ବଗର୍ତ୍ତୀ ଓ ଦୁଖୁ ଭୁଏଙ୍କ ନାମରେ ଅଭିଯୋଗ ହୋଇଛି।

ମିଳିଥିବା ରିପୋର୍ଟ ମୁତାବକ, ନିଜ ବଗିଚାର ଲେମ୍ବୁ ଗଛ ନିକଟରେ ବାପାଙ୍କ ମୃତଦେହ ପୁଅ ସୁନାଧର ସକାଳୁ ଦେଖିବାକୁ ପାଇଥିଲେ। ଗୁଣି ଗାରେଡ଼ି ସନ୍ଦେହରେ ଗାଁରେ କଙ୍ଗାରୁ କୋର୍ଟ କରି ତାଙ୍କ ବୃଦ୍ଧ ବାପାଙ୍କୁ ହତ୍ୟା କରାଯାଇଥିବା ନେଇ ପୁଅ ସୁନାଧର କହିଛନ୍ତି। ହତ୍ୟା କଲା ପରେ ଆତ୍ମହତ୍ୟାର ରୂପ ଦେବାକୁ ବାପାଙ୍କ ମୃତଦେହଟିକୁ ଗଛରେ ଝୁଲାଇ ଦିଆଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏସମ୍ପର୍କରେ ଖବର ପାଇ ସଇଁନ୍ତଳା ପୁଲିସ ୫ଜଣଙ୍କୁ ଅଟକ ରଖି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଥିବା ନେଇ ସଇଁନ୍ତଳା ଥାନାଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।