ଦିନ ଦ୍ୱିପ୍ରହରରେ ଦୁର୍ବୁତ୍ତ ଝାମ୍ପି ନେଲେ ୧ଲକ୍ଷ ୯୦ ହାଜର ଟଙ୍କା

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ମୁଖ୍ୟ ବଜାର ଦେଇ କଲେଜ ପଟକୁ ଯିବା ରାସ୍ତାରେ ଆଜି ଜଣେ ସେଲ୍ସ ଏକଜିକ୍ୟୁଟିଭଙ୍କଠାରୁ ୧ଲକ୍ଷ ୯୦ ହାଜର ଟଙ୍କା ଲୁଟି ଦୁର୍ବୁତ୍ତ ଫେରାର ହୋଇଯାଇଥିବା ନେଇ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗ ପରେ ଦେବଗଡ଼ ଥାନା ପୁଲିସ ବିଭିନ୍ନ ସ୍ଥାନରେ ଯାଞ୍ଚ ଆରମ୍ଭ କରିଥିବା ଜଣାପଡ଼ିଛି। ମିଳିଥିବା ରିପୋର୍ଟ ମୁତାବକ, ଦେବଗଡ଼ ସହରରେ ଥିବା ନୂତନ ଏଜେନ୍ସିର ସେଲ୍ସ ଏକଜିକ୍ୟୁଟିଭ କୁଶଧ୍ୱଜ ପାଣିଗ୍ରାହୀ ଅନ୍ୟ ଦିନମାନଙ୍କ ଭଳି ଆଜି ମୁଖ୍ୟ ବଜାର ପଟୁ ଦୋକାନଗୁଡ଼ିକରୁ ସାମଗ୍ରୀ ଯୋଗାଣ ବାବଦରେ ସାପ୍ତାହିକ ଅର୍ଥ ସଂଗ୍ରହ କରି ସାଇକେଲ ଯୋଗେ କଲେଜ ରୋଡ଼ ଦେଇ ପୁରୁଣାଗଡ଼ ପଟକୁ ଯାଉଥିଲେ। ସେହି ସମୟରେ ଷୋଳବଖରୀ କଟା ନିକଟରେ ୪ଜଣ ଦୁର୍ବୁତ୍ତ ୨ଟି ବାଇକରେ ଆସି କୁଶଧ୍ୱଜଙ୍କୁ ଧକ୍କା ଦେଇଥିଲେ। ଫଳରେ କୁଶଧ୍ୱଜ ରାସ୍ତାକଡ଼ରେ ପଡ଼ିଯିବା କ୍ଷଣି ଦୁର୍ବୁତ୍ତମାନେ ସେ ଧରିଥିବା ଟଙ୍କା ଭର୍ତ୍ତି ବ୍ୟାଗ ନେଇ ବାଇକ ଯୋଗେ ଦ୍ରୁତ ଗତିରେ କଲେଜ ରୋଡ଼ ପଟକୁ ପଳାଇଥିଲେ। ଏନେଇ କୁଶଧ୍ୱଜ ଦେବଗଡ଼ ଥାନାକୁ ଆସି ଲିଖିତ ଅଭିଯୋଗ କରିବା ପରେ ଏସଡ଼ିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଦେବଗଡ଼ ଥାନାଧିକାରୀ ସୁରେନ୍ଦ୍ର କୁମାର ନାୟକ ଓ ସ୍ପେଶାଲ ସ୍କ୍ୱାର୍ଡ ସବଇନ୍ସପେକ୍ଟର ବୁଦ୍ଧରାୟ ମାଝୀ ଘଟଣାର ତଦନ୍ତ ସହ ବିଭିନ୍ନ ସ୍ଥାନରେ ଯାଞ୍ଚ ଆରମ୍ଭ କରିଥିବା ଜଣାପଡ଼ିଛି।